NDAର ମୃତ୍ୟୁ ହୋଇ ସାରିଛି : ଯୋଗେନ୍ଦ୍ର ଯାଦବ
ପାଟନା(ଆମ ଟିଭି): ବିହାରରେ ବିଜେପି-ଜେଡିୟୁ ମହାମେଣ୍ଟ ଭାଙ୍ଗିବା ପରେ ଏହାକୁ ନେଇ ବିରୋଧୀ ଦଳମାନେ ବେସ୍ ଖୁସି ଅଛନ୍ତି । ନୀତୀଶ କୁମାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏଚଡି ଦେବ ଗୌଡା, ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ନିଜର ଖୁସି ବ୍ୟକ୍ତ କରିଛନ୍ତି । କେବଳ ଏତିକି ନୁହେଁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିରୋଧୀ ଦଳଙ୍କ ମନରେ ଆଶା ସଂଚାର ହୋଇଛି । ବର୍ତ୍ତମାନ ସ୍ୱରାଜ ଇଣ୍ଡିଆ ପାର୍ଟିର ସଭାପତି ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ବିହାରର ଏହି ଦୃଶ୍ୟ ୨୦୨୪ ଲୋକସଭା ନିର୍ବାଚନର ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ବିଶେଷ କରି ଏହା ଭାରତୀୟ ଜନତା ପାର୍ଟି ପାଇଁ ବହୁଳ କ୍ଷତି ଆଣିବ । ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA)ବର୍ତ୍ତମାନ ଦୁର୍ବଳ ହୋଇପଡିଛି । କାରଣ ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ଗେରୁଆ
ଦଳରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ସେ କହିଛନ୍ତି । ତେବେ ଅଷ୍ଟମ ଥର ପାଇଁ ଜେଡିୟୁରୁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ସେ ଏନଡିଏ ସହ ସମ୍ପର୍କ ଭାଙ୍ଗି ଆରଜେଡିରେ ଯୋଗ ଦେଇଥିଲେ । ଏହା ପରେ ବିହାରରେ ପୁଣି ଥରେ ମହାମେଣ୍ଟ ସରକାର ଗଠନ ହୋଇଛି । ଯାଦବ କହିଛନ୍ତି ଯେ ବର୍ତ୍ତମାନ ଆମେ ଆନୁଷ୍ଠାନିକ ଭାବେ ଘୋଷଣା କରିପାରିବା ଯେ ଏନଡିଏ ମରିଛି । ସେ କହିଛନ୍ତି ଯେ ଏହା ପୂର୍ବରୁ କୁହାଯାଉଥିଲା ଯେ ଆସନ୍ତା ଲୋକସଭା ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାଧାନ୍ୟ ବିସ୍ତାର କରିବ, କିନ୍ତୁ ବିହାର ରାଜନୀତି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି । ୨୦୨୪ ମସିହାରେ ବିହାରରେ ପାଞ୍ଚଟି ସିଟ୍ ଜିତିବା ପାଇଁ ବିଜେପିକୁ ବହୁ ସଂଘର୍ଷ କରିବାକୁ ପଡିବ ବୋଲି ସେ କହିଛନ୍ତି ।