କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗର୍ଜିଲା କଂଗ୍ରେସ

0

ଭୁବନେଶ୍ବର (ଆମ ଟିଭି): ମହାପ୍ରଭୁ ଜଗନ୍ନାଥଙ୍କୁ ବିଜେପି ସରକାର ଓ ଏହାର ନେତାମାନେ ଅପମାନିତ କରିଆସୁଛନ୍ତି। ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ସରକାରକୁ ଆସିଥିବା ‌ବିଜେପି ସରକାର କ୍ଷମତା ଲୋଭରେ ଅନ୍ଧ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜକୁ ଜଗନ୍ନାଥଙ୍କ ସହ ତୁଳନା କରିବାକୁ ମଧ୍ୟ ପଛାଉନାହାନ୍ତି। ଏହାର ପ୍ରତିବାଦରେ ଆଜି ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି।

ଆଜି ଦ୍ବିପ୍ରହରରେ କଂଗ୍ରେସ ଭବନରୁ ଏକ ଅଭିନବ ଶୋଭାଯାତ୍ରା ବାହାରିଥିଲା। ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ହାତରେ ନଡ଼ିଆ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ସେଠାରେ କିଛି ସମୟ ପୁଲିସ ସହ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କ ଧସ୍ତାଧସ୍ତି ହୋଇଥିଲା। ଏହି ଅବସରରେ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଥିଲେ ଯେ ମହାପ୍ରଭୁଙ୍କୁ ନେଇ ବିଜେପି ନିର୍ବାଚନ ପୂର୍ବରୁ ରାଜନୀତି କରିଆସୁଥିଲା। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭକ୍ତ ବୋଲି କହିଥିଲେ। ଏବେ ମୁଖ୍ୟମନ୍ତ୍ରୀ ନିଜକୁ ଜଗନ୍ନାଥ ବୋଲି କହିଲେଣି। ଜଗନ୍ନାଥଙ୍କୁ ନେଇ କୋଟି କୋଟି ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳୁଥିବା ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ନିଜେ ତୁରନ୍ତ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ।

Leave A Reply

Your email address will not be published.