ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0

ପାଠ ପଢିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ଦିନେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌(NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ମାଲକାନଗିରି ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦିଲି । ସମଗ୍ର ବଣ୍ଡା ଜନଜାତି ସମ୍ପ୍ରଦାୟର ଟେକ ରଖିଥିବାରୁ ଏହାକୁ ନେଇ ବଣ୍ଡାଘାଟିରେ ଖୁସି କହିଲେ ନସରେ ।

ବଣ୍ଡାଘାଟିର ଏହି ସଫଳ ଛାତ୍ରଙ୍କ ସଫଳତା ପଛରେ ରହିଛି ଜଣେ ଶିକ୍ଷକଙ୍କ ହାତ । ଯାହାଙ୍କ ସାହାଯ୍ୟ ଓ ସହଯୋଗରେ ବଣରେ ବଣ ମଲ୍ଲୀର ମହକ ନରହି ଏବେ ବାହାରକୁ ମହକିଛି ।ଗତକାଲି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି।

ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର୍‌ ମାନିଥାଏ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି।

Leave A Reply

Your email address will not be published.