ଏନ୍‌ଆର୍‌ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ

0

ଏଣିକି ଆଧାର କାର୍ଡ କରିବା ଆଉ ହେବନି ସହଜ। ଏନ୍‌ଆର୍‌ସି ନମ୍ବର ନ ଦେଲେ ଆଉ ମିଳିବନି ଆଧାର କାର୍ଡ। ଆଧାର କାର୍ଡ ପାଇବାକୁ ହେଲେ ସମସ୍ତ ଆବେଦନକାରୀଙ୍କୁ ନିଜର ଏନ୍‌ଆର୍‌ସି ନମ୍ବର ବା ରସିଦ ନମ୍ବର ଜମା କରିବାକୁ ହେବ। ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

ରାଜ୍ୟରେ ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଏଭଳି କିଛି ନୂଆ ନିୟମ ଆଣିଛନ୍ତି ସରକାର। ଏଥିପାଇଁ ଆଧାର କାର୍ଡ ଜାରି କରିବା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ ଏସ୍‌ଓପି ପ୍ରସ୍ତୁତ ହେବ ଓ ଅକ୍ଟୋବର ୧ରୁ ଏହା ଲାଗୁ ହେବ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ‘ଆଧାର କାର୍ଡ ପାଇଁ ଆବେଦନ ସଂଖ୍ୟା ଜନସଂଖ୍ୟାଠୁ ଅଧିକ। ଏହା ଦର୍ଶାଉଛି ଯେ ସନ୍ଦିଗ୍ଧ ନାଗରିକ ଅଛନ୍ତି। ଏଥିପାଇଁ ନୂଆ ଆବେଦନକାରୀଙ୍କୁ ନିଜ ଏନଆରସି ଆବେଦନ ରସିଦ ସଂଖ୍ୟା ଜମା କରିବାକୁ ପଡ଼ିବ ବୋଲି ଆମେ ନିଷ୍ପତ୍ତି ନେଇଛୁ।

ରାଜ୍ୟର ଏପରି ଚାରୋଟି ଜିଲ୍ଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି। ଏହି ୪ ଜିଲ୍ଲାରେ ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି।ସେଥିପାଇଁ ଯେଉଁମାନଙ୍କର ଏନ୍‌ଆର୍‌ସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ, ଯାହା ଦ୍ୱାରା ଅନୁପ୍ରବେଶକାରୀମାନେ ନାଗରିକତ୍ୱ ପାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.