ବିଜେଡି ଉପରେ ପୁଣି ବର୍ଷିଲେ ଜୟନାରାୟଣ ମିଶ୍ର

0

ନୂଆଖାଇ ଅବସରରେ ରାଜ୍ୟର ଭାଜପା ସରକାର ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ବନ୍ଧିତ ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏହି ଯୋଜନା ଦ୍ୱାରା ଚାଷୀ ଉପକୃତ ହେବେ ବୋଲି ସରକାର କହୁଥିବା ବେଳେ ବିଜେଡି ଟାର୍ଗେଟ କରିଛି।

ଭାଜପା ଏହି ଯୋଜନାକୁ ପ୍ରଶଂସା କରିଥିବା ବେଳେ କାଳିଆ କଥା କହି ବିରୋଧୀଙ୍କୁ ସମାଲୋଚନା କରିଛିି। ଅନ୍ୟପକ୍ଷରେ ପାଲଟା ନାଁ ବଦଳାଇ ଦେଲେ କ’ଣ ହେବ ବୋଲି କହି ବିଜେଡି ପ୍ରଶ୍ନ କରିଛି।

ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭାଜପା ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା। ମାତ୍ର ମୋଦି ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଗତ ସରକାର ତୁଳନାରେ କୃଷି ବଜେଟ ୩୬% ବୃଦ୍ଧି ପାଇଛି। ଚାଷୀଙ୍କ ଆୟ ବଢ଼ାଇବା ପାଇଁ ମୋଦି ୨୦୧୯ରୁ ପିଏମ୍‌ କିଷାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏ ମିଳୁଥିଲା। ମାତ୍ର ବିଜେଡି ସରକାରରେ ଥିବାବେଳେ ନିଜର ରାଜନୈତିକ ଆଶା ଚରିତାର୍ଥ କରିବା ପାଇଁ ପିଏମ୍‌ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଞ୍ଚିତ ରଖିଥିଲା। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଅଁା ବୁଲାଇବା ଲାଗି କାଳିଆ ଯୋଜନା ଆରମ୍ଭ କରିଥିଲା। ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ମନମୋହନ କହିଛନ୍ତି।

ନେତା ସମ୍ବିତ ରାଉତରାୟ କହିଛନ୍ତି, ବିଜେଡି ସରକାର ସମୟରେ ଯେଉଁ ଯୋଜନା ହୋଇଥିଲା ଭାଜପା ତା’ର ନାଁ ପରିବର୍ତ୍ତନ କରି ପ୍ରଚାର କରୁଛି। ଖାଲି ନାଁ ପରିବର୍ତ୍ତନ କରିଦେଲେ କ’ଣ ହେବ ଯୋଜନା ତ ସମାନ ରହିବ। ଲୋକାଭିମୁଖୀ ଯୋଜନା ଯାହାସବୁ ବିଜେଡି କରିଥିଲା, ତାହାକୁ ଆଗକୁ ନେବା ହେଉଛି ନୂଆ ସରକାରର ଦାୟିତ୍ୱ। କାମ କରିବା ପରିବର୍ତ୍ତେ କେବଳ ନାଁ ବଦଳେଇ ଦେଲେ କିଛି ହେବନି, ସେକଥା ସେମାନେ ଅନୁଭବ କରନ୍ତୁ ବୋଲି ସମ୍ବିତ କହିଛନ୍ତି।

ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯେଉଁ କହୁଛନ୍ତି ତାଙ୍କୁ କପି କଲୁ ବୋଲି ସେମାନେ ତ କାଳିଆ ଯୋଜନା ଆରମ୍ଭ କରିଥିଲେ ସେଇଟା କୁଆଡ଼େ ଗଲା। କାଳିଆ ଯୋଜନାରେ ସେମାନେ କେତେଥର ଲୋକଙ୍କୁ ଟଙ୍କା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଥରେ ଦେଲେ ତା’ପରେ ଭୁଲିଗଲେ। ସିଏମ୍‌ କିଷାନ ଯୋଜନାରେ ବର୍ଷକୁ ଦୁଇଥର ଅକ୍ଷୟତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କୁ ଟଙ୍କା ଦିଆଯିବ ବୋଲି ଜୟନାରାୟଣ କହିଛନ୍ତି।

Leave A Reply

Your email address will not be published.