ଭୁବନେଶ୍ବର (ଆମ ଟିଭି): ନିର୍ବାଚନ ପରେ ପରେ ବେଶ କିଛିଦିନ ଧରି ଦଳୀୟ ରାଜନୀତିରେ ସକ୍ରିୟ ରହିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ହେଲେ ମାସଟିଏ ପରେ ସେ ସଂପୂର୍ଣ୍ଣ ନିରବି ଗଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସବୁବେଳେ ମିଡିଆ ଆଗକୁ ଆସି କିଛି ନା କିଛି ବିସ୍ପୋରକ ତଥ୍ୟ ଦେଉଥିବା ଅପରାଜିତା ଏବେ ପୁରା ଚୁପଚାପ କିପରି ହେଲେ ବୋଲି ପ୍ରଶ୍ନ ଉଠିଛି।
ସେତିକି ନୁହେଁ କିଛି ଦିନ ତଳେ ତାଙ୍କର ଦୃଢ ସମର୍ଥକ ତଥା ସଂଗଠକଙ୍କୁ ବିଜେପି ଦଳରୁ ନିଲମ୍ବନ କରିଦେଲା। ତାହାକୁ ନେଇ ଅପରାଜିତ ପୁରା ଚୁପ ରହିଲେ। ହେଲେ ସେ ଖେଳ ଖେଳିବାକୁ ଭଲ ପାଉଥିବାରୁ ସେହି ନିଲମ୍ବିତ ନେତାଙ୍କୁ ଆଣି ନିଜ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ସାମିଲ କଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ଦଳ ଗୋଟିଏ ପଟେ ଯାଉଥିବା ବେଳେ ଅପରାଜିତା ଅନ୍ୟପଟେ ଯାଉଛନ୍ତି। ଦଳ ପ୍ରତି ତାଙ୍କର ଭୟ ନାହିଁ।
ସେହିପରି ଭୁବନେଶ୍ବରରେ ସୁଭଦ୍ରା ପ୍ରଚାର ରଥ ପାଇଁ ବଡ ଆୟୋଜନ କରାଯାଇଥିଲା। ସେଥିରେ ଖୋଦ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଭୁବନେଶ୍ବରରେ କାର୍ଯ୍ୟକ୍ରମ ହେଲା ହେଲେ ଅପରାଜିତା ଯୋଗ ନ ଦେବା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଅନ୍ୟପକ୍ଷରେ ବିଜେପି ଅପରାଜିତାଙ୍କ ନିର୍ବାଚନ ମଣ୍ଡଳୀ ବାଲିଅନ୍ତାରେ ସଭ୍ୟ ସଂଗ୍ରହ ଅଭିଯାନ କରିଥିଲା। ହେଲେ ସେଠାକୁ କୁଆଡେ ଅପରାଜିତାଙ୍କୁ ଡକା ଯାଇ ନ ଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା।
ଏହିପରି ଅନେକ ଘଟଣା ଘଟିଛି ଯାହା ଅପରାଜିତା ଓ ରାଜ୍ୟ ବିଜେପି ଭିତରେ ଭଲ ନାହିଁ ବୋଲି ପ୍ରମାଣିତ ହୋଇଛି। ସବୁବେଳେ ଏକଲା ଚଲୋ ନୀତି ଆପଣେଇଥିବା ଅପରାଜିତା ଏବେ ଦଳର ଆଭିମୁଖ୍ୟ ଉପରେ ବିମୁଖ ହୋଇ ଏକା ସଂଗଠନ ଆଉ କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି। ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀଙ୍କ ଏପରି ହାବଭାବ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି। ଏପରିକି ଦଳୀୟ ନେତାଙ୍କ ଭିତରେ କୁଆଡେ ଛନକା ପଶିଛି ବୋଲି ଶୁଣାଯାଉଛି।