ଶେଷରେ ଭରତପୁର ଥାନାରେ ଲାଗିଲା CCTV

0

ଭୁବନେଶ୍ୱର (ଆମ ଟିଭି): ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି। ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଭରତପୁର ଥାନାରେ ସିସିଟିଭି ଲଗାଯାଇଛି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି।

ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବିଳମ୍ବିତ ରାତିରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଚାରବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା। କେଉଁ ପରିସ୍ଥିତିରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡମରା ଭଳି ଘଟଣା ଘଟିଲା। ଏହିସବୁ ଘଟଣାର ତଦନ୍ତ କରାଯିବ।

ସେହିପରି ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ରୋଡ୍‌ ରୋମିଓଙ୍କ ଅସଦାଚରଣ ଘଟଣାର ବି ତଦନ୍ତ ହେବ। ଏହି ଘଟଣାରେ କାହାର ଭୂମିକା କ’ଣ ଥିଲା ଏବଂ ଏଥିଲାଗି କିଏ ଉତ୍ତରଦାୟୀ ସେଥିଲାଗି ସମ୍ପୃକ୍ତ ବ୍ୟକ୍ତି, ଗୋଷ୍ଠୀ ଏବଂ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତକୁ ନିଆଯିବ। ଅନ୍ୟ କିଛି ଘଟଣା ସହ ଏହାର ଲିଙ୍କ୍‌ ରହିଛି କି ନାହିଁ ତା’ର ତଦନ୍ତ ହେବ। ଯଦି ଆଉ କିଛି ଘଟଣା ସହିତ ଆଉ କିଛି ଜଡ଼ିତ ଥାଏ, ତେବେ କମିଶନ ଏହାର ତଦନ୍ତ କରିପାରିବେ।

Leave A Reply

Your email address will not be published.