ବଡ଼ ଖବର; ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

0

କଟକ (ଆମ ଟିଭି): ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ଏକ ସୂଚନା ମିଳିଛି।

ଏହାଛଡ଼ା, ୨୦୧୬ରୁ ଧାର୍ଯ୍ୟ ହୋଇଥିବା ୪୨୦ଟଙ୍କା ପରିବର୍ତ୍ତେ ଅଧିକ ଟଙ୍କା ଆଦାୟ ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି। ପାଖାପାଖି ୮ଶହ ଟଙ୍କା ପରୀକ୍ଷା ଫି’ ଏଥର ଆଦାୟ ହେବ ବୋଲି ଆକଳନ କରାଯାଇଛି। ବୋର୍ଡର ଜଣେ ଅଧିକାରୀଙ୍କ କହିବା ମୁତାବକ, ପ୍ରଶ୍ନପତ୍ର ଚୟନ, ପ୍ରଶ୍ନପତ୍ର ଛପା, ଆଡମିଟ୍‌ କାର୍ଡ ପ୍ରସ୍ତୁତି, ପରୀକ୍ଷା ଆୟୋଜନ, ସେଣ୍ଟରରେ ପରୀକ୍ଷା ନିରୀକ୍ଷକ ନିୟୋଜନ, ପ୍ରଶ୍ନପତ୍ରଗୁଡ଼ିକୁ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରକୁ ପଠାଇବା, ପର୍ଯ୍ୟବେକ୍ଷକ ଏବଂ ସ୍କ୍ବାର୍ଡ ଗସ୍ତ ଖର୍ଚ୍ଚ, ଉତ୍ତର ଖାତା ମୂଲ୍ୟାୟନ, ଟାବୁଲେସନ, ସାର୍ଟିଫିକେଟ ପ୍ରସ୍ତୁତି ଆଦି ପାଇଁ ପୂର୍ବ ଅପେକ୍ଷା ଖର୍ଚ ବହୁ ପରିମାଣରେ ବଢ଼ିଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ସରକାରୀ କର୍ମଚାରୀଙ୍କ ଡିଏ ଦିନକୁ ୧୪୦ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ପରୀକ୍ଷା ପରିଚାଳନାରେ ଦିନକୁ ଡିଏ ବାବଦ ଖର୍ଚ ୩ଗୁଣା ବଢ଼ିଛି। ତେଣୁ ପରୀକ୍ଷା ଫି’ ଆଦାୟ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଳିଥିବା ଜଣାପଡିଛି। ଫି’ ବୃଦ୍ଧି ପାଇଁ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ଫି’ ବୃଦ୍ଧି ନେଇ ନିଷ୍ପଭି ନେଇପାନ୍ତି ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମାଟ୍ରିକ ପରୀକ୍ଷା ଲାଗି ଆସନ୍ତା ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ଫର୍ମ ପୂରଣ କରାଯିବ।

Leave A Reply

Your email address will not be published.