ଅସମ୍ଭାଳ ହେଲାଣି ବିଜେଡି ଅସନ୍ତୋଷ!!
୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା । ଖୋଦ୍ ନବୀନଙ୍କ ଆଗରେ ଏକଥା କହିଛନ୍ତି ନବରଙ୍ଗପୁରର ଟାଣୁଆ ନେତା ପ୍ରଦୀପ ମାଝୀ । ଜିଲ୍ଲା ସମୀକ୍ଷା ବେଳେ ପ୍ରଦୀପ ଏକଥା କହି ଦାୟିତ୍ୱରେ ଥିବା ନେତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେପଟେ ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ବି ଆଜି କହିଛନ୍ତି ସୁପ୍ରିମୋ ନବୀନ ନିର୍ବାଚନରେ ନବୁଲିବାରୁ ଦଳ ଆଣ୍ଠୁମାଡ଼ି ପଡିଲା । ଯାହାକି ଦଳୀୟ କନ୍ଦଳକୁ ପଦାରେ ପକାଇଛି ।
ପରାଜୟର ଗୁମର ଖୋଲିଲେ ପ୍ରଦୀପ ମାଝୀ । ନିର୍ବାଚନ ପରିଚାଳନରେ ତ୍ରୁଟି ଲାଗି ବିଜେଡି ଲୋକଙ୍କ ଆସ୍ଥା ହରାଇଲା । ନବୀନଙ୍କୁ ପରାଜୟର ତିନି ସୂତ୍ରୀ କାରଣ ଦର୍ଶାଇଲେ ପ୍ରଦୀପ । ଗତକାଲି ଶଙ୍ଖ ଭବନରେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରିଥିଲେ ସଭାପତି ନବୀନ । ଏହି ସମୟରେ ବିଜେଡି ହାରିବାର ତିନି କରାଣ ଦର୍ଶାଇଥିଲେ ପ୍ରଦୀପ ମାଝୀ ।କହିଥିଲେ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦଳରେ ତୀବ୍ର ଅନ୍ତଃକନ୍ଦଳ ଓ ଶୂନ୍ୟ ନିର୍ବାଚନ ପରିଚାଳନା ଲାଗି ଦଳ ପରାଜିତ ହେଲା । ଏଠି ପ୍ରଶ୍ନ ନବୀନଙ୍କ ନିର୍ବାଚନ ପରିଚାଳନାରେ କେମିତି ଭୁଲ୍ ହେଲା ? ଯେଉଁ ଆଗଧାଡ଼ିର ନେତାଙ୍କୁ ଦାୟିତ୍ୱ ଦେଇ ନିର୍ଦ୍ୱନ୍ଦ୍ୱରେ ବସିଥିଲେ ନବୀନ ସେମାନେ କଣ ବିଶ୍ୱାସଭାଜନ ହୋଇପାରିଲେନି କି?
ଏଣେ ପ୍ରଦୀପଙ୍କ ନିଆଁ ଲିଭି ନଥିବା ବେଳେ ସେଥିରେ ଘିଅ ଢାଳିଛନ୍ତି ଘଷିପୁରା ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରି ପାତ୍ର । ସେ କହିଛନ୍ତି ନବୀନ ବାବୁ ନିର୍ବାଚନ ବେଳେ ପ୍ରଚାର ପାଇଁ ସମୟ ଦେଲେନି, ଯେଉଁଥିପାଇଁ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ବୁଲିଥିଲେ ଏପରି ହୋଇନଥାନ୍ତା । ସେପଟେ ପ୍ରଦୀପ ମାଝୀଙ୍କ କଥାକୁ କାଉଣ୍ଟର କରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ରମେଶ ମାଝୀ ।ସେ କହିଛନ୍ତି ନବରଙ୍ଗପୁରରେ ନିର୍ବାଚନ ପରିଚାଳନା ଠିକ୍ ଥିଲା । ନେତାଙ୍କ ଭିତରେ ଝଗଡ଼ା ନଥିଲା । ପ୍ରଦୀପଙ୍କ କଥାରେ କୌଣସି ସତ୍ୟତା ନାହିଁ । ସେପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ସାମଗ୍ରିକ ଭାବେ ପ୍ରଦୀପଙ୍କ ମନ୍ତବ୍ୟ ଗ୍ରହଣ ଯୋଗ୍ୟ ନୁହେଁ । ସବୁ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ କାରଣ ଥାଏ । ନିର୍ବାଚନ ପରିଚାଳନାରେ ତ୍ରୁଟି ଥିଲେ ଆମେ ଶାସକ ଦଳଠାରୁ ଅଧିକ ଭୋଟ୍ କିପରି ପାଇଲୁ?୨୪ ବର୍ଷ କାଳ ଶାସନ କଲା ପରେ ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଶାସନ ଗାଦିରୁ ହଟିବା ପରେ ପରାଜୟର କାରଣ ଖୋଜିବାକୁ ନବୀନ ଏକ କମିଟି ବି ଗଢିଥିଲେ । ମାତ୍ର ସେ କମିଟି କି ସମୀକ୍ଷା କଲା ଓ କି ରିପୋର୍ଟ ଦେଲା ତାହା ଏଯାଏ ସମସ୍ତଙ୍କୁ ଅଜଣା । ଅପରପକ୍ଷେ ଏବେ ନବୀନ ନିଜେ ଜିଲ୍ଲାୱାରୀ ସମୀକ୍ଷା କରୁଛନ୍ତି । ତେବେ ଦଳ ଭିତରେ ଯେ ଗୋଷ୍ଠୀକନ୍ଦଳ ପ୍ରବଳ ତାହା ଜଳ ଜଳ ହୋଇ ଦିଶୁଛି ।