ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ: ସିଦ୍ଦାରାମାୟା

0

ବେଙ୍ଗାଲୁରୁ (ଆମ ଟିଭି): ମହୀଶୂର ଅର୍ବାନ୍‌ ଡେଭେଲପ୍‌ମେଣ୍ଟ ଅଥରିଟି (ମୁଦା) ଜମି ଆବଣ୍ଟନ ବିବାଦ ମୁଣ୍ଡ କେଟିଥିବାବେଳେ ଗୁରୁବାର କର୍ନାଟକର କଂଗ୍ରେସ ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଠାରୁ ଜେନେରାଲ କନ୍‌ସେଣ୍ଟ ବା ସାଧାରଣ ସହମତି ପ୍ରତ୍ୟାହାର କରିଛନ୍ତି। ସିବିଆଇ ଉପରେ ଏହି ପ୍ରବେଶ କଟକଣା ଜାରି ହେବା ପରେ ଏଣିକି ତଦନ୍ତକାରୀ ସଂସ୍ଥାକୁ କର୍ନାଟକ ଯିବାକୁ ହେଲେ ପ୍ରତି ମାମଲା ଲାଗି ସିଦ୍ଦାରାମାୟା ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

ବିରୋଧୀ ଭାଜପା ମୁଦା ଜମି ଆବଣ୍ଟନ ମାମଲାର ସିବିଆଇ ତଦନ୍ତ ଦାବି କରିଥିବାବେଳେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ଅଧ୍ୟକ୍ଷତାରେ ବେଙ୍ଗାଲୁରୁରେ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ସିବିଆଇଠାରୁ ଜେନେରାଲ କନ୍‌ସେଣ୍ଟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରି ବିରୋଧୀଙ୍କ ପଛରେ ଲଗାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ବୈଠକ ପରେ ରାଜ୍ୟର ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍‌.କେ. ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଟିଲ କହିଛନ୍ତି, କେନ୍ଦ୍ର ହେଉ କି ସିବିଆଇ ନିଜ କ୍ଷମତାର ବିବେକାନୁମୋଦିତ ଉପଯୋଗ କରୁନାହାନ୍ତି। ତେବେ ସିଦ୍ଦାରାମାୟାଙ୍କ ସ୍ତ୍ରୀଙ୍କ ନାମରେ ୧୪ଟି ସ୍ଥାନ ଆବଣ୍ଟନ ସମ୍ପର୍କିତ ଅଭିଯୋଗ ସହ ଏହି ନିଷ୍ପତ୍ତିର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟ, ୧୯୪୬ର ଧାରା ୬ ଅନୁସାରେ ସିବିଆଇକୁ ତଦନ୍ତ ପାଇଁ କୌଣସି ରାଜ୍ୟକୁ ଯିବାକୁ ହେଲେ ଜେନେରାଲ କନ୍‌ସେଣ୍ଟ ନ ଥିଲେ ସମ୍ପୃକ୍ତ ରାଜ୍ୟର ସରକାରଙ୍କ ପୂର୍ବ ଅନୁମତି ନେବାକୁ ପଡ଼ିଥାଏ। ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ଭଳି ଜେନେରାଲ କନ୍‌ସେଣ୍ଟ ପ୍ରତ୍ୟାହାରକାରୀ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକର ତାଲିକାରେ କର୍ନାଟକ ଏବେ ସାମିଲ ହୋଇଛି। ଏକ ସ୍ବତନ୍ତ୍ର କୋର୍ଟ ସିଦ୍ଦାରାମାୟାଙ୍କ ବିରୋଧରେ ମୁଦା ମାମଲାର ତଦନ୍ତ ଲୋକାୟୁକ୍ତ ପୋଲିସକୁ ଦେବାର ଦିନକ ପରେ କର୍ନାଟକ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଭାଜପା ସିଦ୍ଦାରାମାୟାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜାରି ରଖିଥିବାବେଳେ ସେ ଏହାକୁ ଉଦ୍ଦେଶ୍ୟ ପ୍ରଣୋଦିତ କହି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ମନା କରିଦେଇଛନ୍ତି।

Leave A Reply

Your email address will not be published.