ପୁଣି ବିଜେଡିକୁ ଝଟ୍‌କା; BJPରେ ମିଶିଲେ ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ

0
ଭବାନୀପାଟଣା(ଆମ ଟିଭି):  ପୁଣି ବିଜେଡିକୁ ଝଟ୍‌କା କଳାହାଣ୍ଡିର ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଭାଜପା ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ  ହୋଇଛନ୍ତି।
ଗତ କିଛିଦିନ ତଳେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭାବେ କାର୍ଯ୍ୟରତ ଥିବା  ଡ. ନିଆଲ  ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳ ଛାଡିବା ପରେ ସେ ଭାଜପାର ଜାତୀୟ ଓ ରାଜ୍ୟସ୍ତରୀୟ ନେତାଙ୍କ ସହିତ ବରାବର ଯୋଗାଯୋଗରେ ରହିଥିଲେ। ଶେଷରେ ସେ ଭାଜପାର ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିବାବେଳେ ଡ. ନିଆଲଙ୍କ ଯୋଗଦାନ ଦ୍ୱାରା ରାଜ୍ୟରେ ଦଳ ପ୍ରତି ଆସ୍ଥା ପ୍ରକଟ କରିଥିବା ଲକ୍ଷ ଲକ୍ଷ ଅନୁସୂଚିତ ଜାତି ବର୍ଗ ଉପକୃତ ହେବେ ବୋଲି କହିଛନ୍ତି। ଡ. ନିଆଲଙ୍କୁ ଦଳରେ ସାମିଲ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିରୋଧୀ ଦଳ  ନେତା ପ୍ରଦୀପ୍ତ କୁମାର ନାଏକ ଅନୁମୋଦନ କରିଥିଲେ। ଡ. ନିଆଲଙ୍କ ସହିତ ଜିଲାର ବିଶିଷ୍ଟ ଶିକ୍ଷାବିତ୍‌ ଓ ସଂଗଠକ ପ୍ରବୀଣ କୁମାର ସିପକା ମଧ୍ୟ  ଯୋଗ ଦେଇଛନ୍ତି। ତାଙ୍କୁ ମଧ୍ୟ ରାଜ୍ୟ ସଭାପତି  ସାମଲ ସ୍ବାଗତ କରିଥିଲେ।
ପ୍ରକାଶ ଯେ, ଡ. ନିଆଲ ଗତ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭାଜପା ଦଳରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରହିବା ସହିତ ଦଳର ଅନୁସୂଚିତ ଜାତି ରାଜ୍ୟ ଉପ ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଓ ସମାଲୋଚକ ଭାବେ ତାଙ୍କର ଲେଖା ସବୁ ବିଶ୍ୱର ୨୪ଗୋଟି ଭାଷାରେ ଅନୁଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଏପରିକି ତାଙ୍କ ସାହିତି୍ୟକ ଯାତ୍ରା ସମ୍ପର୍କରେ ଗ୍ରୀକ ଭାଷାରେ ଏକ ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ତାଙ୍କର ବହୁ ଚର୍ଚ୍ଚିତ କବିତା ସଂକଳନ ଲକ୍‌ଡାଉନ, ଏନ ଏନକାଉଣ୍ଟର ଉଇଥ ଡେଥ ବିଦେଶରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ସେହିପରି ଡ. ନିଆଲ ଓଡ଼ିଆ ସାହିତ୍ୟ ଜଗତର ଚର୍ଚ୍ଚିତ ପତ୍ରିକା ମହୁରି ସମେତ ଏକାଧିକ ପତ୍ର, ପତ୍ରିକା ସମ୍ପାଦନା, ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସାତରୁ ଅଧିକ ପୁସ୍ତକ ପ୍ରକାଶ ପାଇଛି।
ସେହିପରି ୨୦ରୁ ଅଧିକ ବିଭିନ୍ନ ସାମାଜିକ, ରାଜନୈତିକ ଓ ବୌଦ୍ଧିକ ସଂଗଠନର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି। ଏପରିକି ବିଭିନ୍ନ ଜାତୀୟ ସ୍ତରର ଆନ୍ଦୋଳନରେ ସେ ସକ୍ରିୟ ଭାଗ ନେଇଛନ୍ତି। ବିଜେପିରେ ଯୋଗଦେବା ପରେ ଡ. ନିଆଲ କଳାହାଣ୍ଡି ଓ ନୂଆପଡା ଜିଲାର ତଥା ରାଜ୍ୟର ବିଭିନ୍ନ ବର୍ଗ ସମେତ ଅନୁସୂଚିତ ଜାତିଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓ ସ୍ବପ୍ନକୁ ସାକାର କରିବା ତାଙ୍କ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।
Leave A Reply

Your email address will not be published.