ଗର୍ଭବତୀ କିରାଣିଙ୍କୁ ସିଡିପିଓଙ୍କ ନିର୍ଯାତନା: କରୁଣ କାହାଣୀ ବଖାଣିଲେ, ପେଟରେ ମଲା…

0

କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ଅଭିଯୋଗ ଘଟଣା ଏବେ କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଜିଲାପାଳ ଆରମ୍ଭ କରିଛନ୍ତି। ସିଡିପିଓ କିଭଳି ତାଙ୍କୁ ନିର୍ଯାତନା ଦେଲେ ଯାହା ଫଳରେ ତାଙ୍କର ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଲା, ତାହାର କରୁଣ କାହାଣୀ ପୀଡ଼ିତା ତଥା କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ବର୍ଣ୍ଣନା କରିଛନ୍ତି।

ପୀଡ଼ିତା ତାଙ୍କ ବୟାନରେ ୨୦୨୧ ମସିହାରୁ ଏହି ବିଭାଗରେ ଜଣେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଚାକିରି କରିବା ଦିନଠୁଁ ସିଡିପିଓ ସ୍ନେହଲତା ସାହୁ ସବୁ ସମୟରେ ତାଙ୍କୁ ବିଭିନ୍ନ ପ୍ରକାର ଚାପ ପକାଉଥିଲେ। ତେବେ ୩ ମାସ ହେବ ସିଡିପିଓ ସାହୁ ତାଙ୍କୁ ବିଭିନ୍ନ ସମୟରେ ବେଆଇନ କାମ କରିବାକୁ ବାଧ୍ୟକରିବା ସହ ତାଙ୍କ କୋଠରିରେ ଏକ ପ୍ରକାର ନଜରବନ୍ଦୀ ଭାବେ ରହିବାକୁ ବାଧ୍ୟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି। ଯେତେବେଳେ ଦେହ ଅସୁସ୍ଥ ହୁଏ ସିଡିପିଓଙ୍କୁ କହିଲେ ମଧ୍ୟ ଏ ଜାଗାରୁ କେଉଁ ଆଡ଼କୁ ଯାଇପାରିବୁ ନାହିଁ ବୋଲି କୁହନ୍ତି। ତୋତେ ଯାହା କାର୍ଯ୍ୟ ଦିଆଯାଇଛି ସେ କାର୍ଯ୍ୟ କେବଳ ଗୋଟିଏ ଜାଗାରେ ବସି କରିବୁ ବୋଲି ଧମକ ଦେଉଥିଲେ। ତେବେ ଗତ ୨୫ ତାରିଖରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ମୋର ପେଟର ଯନ୍ତ୍ରଣା ବୃଦ୍ଧି ପାଇଥିଲା। ଏ ବିଷୟରେ ସିଡିପିଓଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ମୋ କଥାକୁ ଶୁଣି ନ ଥିଲେ। ପରିସ୍ଥିତି ଏପରି ହୋଇଥିଲା କେବଳ ମୋ ଚେୟାରରେ ବସି ଛଟପଟ ହେଉଥିବା ବେଳେ ସିଡିପିଓ ତାଙ୍କ ରୁମ୍‌ରେ ବସି ରହିଥିଲେ। ତେବେ କାର୍ଯ୍ୟାଳୟ କର୍ମଚାରୀଙ୍କଠାରୁ ଖବର ପାଇ ବାପା ଓ ଜଣେ ସମ୍ପର୍କୀୟ ଘଟଣାସ୍ଥଳକୁ ଆସିଥିଲେ। ବାପା ସିଡିପିଓଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ବାପାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମୋର ଗର୍ଭସ୍ଥ ଶିଶୁ ମୃତ ବୋଲି ଡାକ୍ତର କହିଥିଲେ। ମୋ ପିଲାର ମୃତ୍ୟୁ ପାଇଁ ସିଡିପିଓ ସମ୍ପୂର୍ଣ୍ଣ ଦାୟୀ ବୋଲି ବର୍ଷା କହିଛନ୍ତି। ଏ ସମ୍ପର୍କରେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ରବୀନ୍ଦ୍ର ନାୟକଙ୍କଠାରୁ ସେଦିନର ଘଟଣା ସମ୍ପର୍କରେ ଜିଲାପାଳ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ସ୍ପର୍ଶକାତର ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଅଭିଯୋଗ କରିଥିବା ବାପା ରବୀନ୍ଦ୍ର କହିଛନ୍ତି।

Leave A Reply

Your email address will not be published.