ଅଭିଯୋଗ ପରେ ଆକ୍ସନ ମୁଡ୍‌କୁ ଆସିଲେ ଇସି

0

ମହାରାଷ୍ଟ୍ର ନିର୍ବାଚନ ପୂର୍ବର ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ କମିଶନର। ବିରୋଧୀଙ୍କ ଅଭିଯୋଗ ପରେ ଆକ୍ସନ ମୁଡ୍‌କୁ ଆସିଲେ ଇସି। ହଟିଲେ ମହାରାଷ୍ଟ୍ର ଡିଜିପି ରଶ୍ମୀ ଶୁକ୍ଳା। ତାଙ୍କ ଟ୍ରାନ୍ସଫର ହୋଇଛି।

ପ୍ରକୃତରେ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ରଶ୍ମୀ ଶୁକ୍ଳାଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ହଟାଇ ତାଙ୍କୁ ବଦଳି କରି ଦିଆଯାଇଛି।

ଏହା ସହିତ କ୍ୟାଡରର ପରବର୍ତ୍ତୀ ସବୁଠାରୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିବାକୁ ଇସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି (ନଭେମ୍ବର ୫) ଅପରାହ୍ନ ୧ଟା ସୁଦ୍ଧା ତିନିଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ପଠାଇବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କହିରଖୁ ଯେ, ଅକ୍ଟୋବର ୩୧ରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଡିଜିପି ରଶ୍ମୀ ଶୁକ୍ଳାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ରଶ୍ମୀ ଶୁକ୍ଳା ପୁଣି ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପ୍‌ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ। ଏଥିପାଇଁ ତାଙ୍କୁ ପଦରୁ ହଟାଯାଉ ବୋଲି ସେ ଦାବି କରିଥିଲେ। ଏହି ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରଶ୍ମୀ ଶୁକ୍ଳାଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ପଠାଇଛନ୍ତି।

Leave A Reply

Your email address will not be published.