ହତାଶା ଲୁଚାଇବାକୁ ବୟାନବାଜି କରୁଛି ବିଜେଡି: ଜୁଏଲ ଓରାମ

0

ଭୁବନେଶ୍ୱର (ଆମ ଟିଭି): ଭାଜପା ସରକାର ଭାଙ୍ଗିଯିବ ବୋଲି ବିଜେଡିର ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କଟାକ୍ଷ କରିଛନ୍ତି। ବିଜେଡି ନିଜ ହତାଶା ଲୁଚାଇବାକୁ ଏଭଳି କହୁଛି। ସେମାନେ ତାଙ୍କ କଥା ବୁଝନ୍ତୁ, ଆମେ ସରକାର ଠିକ ଭାବେ ଚଳାଇ ଜାଣିଛୁ। ତାଙ୍କର ଉପଦେଶ ଦରକାର ନାହିଁ, ଆମେ କାମ କରିବା ପାଇଁ ସକ୍ଷମ। ସେମାନେ ଅତୀତରେ କଣ କରିଛନ୍ତି ଆଗ ସେ ନେଇ ଚିନ୍ତା କରନ୍ତୁ ବୋଲି ଜୁଏଲ କହିଛନ୍ତି।

ନିକଟରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ପୁଣି ସରକାର ଗଢ଼ିବ ବୋଲି ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ଏହା କହିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତହସିଲ ସାମ୍ନାରେ ଅନୁଷ୍ଠିତ ସଭାରେ ଅତନୁ ଆହୁରି କହିଛନ୍ତି, ମହାକାଳପଡ଼ାର ବିକାଶ ରଥକୁ କେହି ଅଟକାଇ ପାରିବେ ନାହିଁ। ଉପସ୍ଥିତ ଦଳୀୟ କର୍ମୀଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି, ‘ଆପଣମାନେ ଭରସା ରଖନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଓଡ଼ିଶାବାସୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।’ ତାଙ୍କ କହିବା ଶୈଳୀ ଅତ୍ୟନ୍ତ କାଜୁଆଲ ଥିଲା ଭଳି ଲାଗୁଥିଲା। ସେ କହିଥିଲେ- ‘ଆମର ୫୧ ବିଧାୟକ, କଂଗ୍ରେସର ୧୪, ସ୍ବାଧୀନ ବିଧାୟକ ୩ ନା ଆଉ କେତେ ୭, ୮ , ୯ ନା ୧୦ଟା ’। ଏହା ପରେ କର୍ମୀମାନେ ୧୦ ସଦସ୍ୟ ହେଲେ ବଳିବ ବୋଲି କହି ସମସ୍ତେ ତାଳି ମାରି ତାଙ୍କ କଥାକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା।

ବିଜେଡି ସରକାର ଆସିଲା ନାହିଁ କାହିଁକି ଓ ଆପଣ ହାରିଲେ କାହିଁକି ବୋଲି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅତନୁ ନିଜ ପାଇଁ ହାରିଥିବା କଥା ସ୍ବୀକାର କରିଥିଲେ। ଏଥିସହିତ ମନେପକାଇଥିଲେ ୨୦୦୪ ମସିହାରେ ସେ ନବାଗତ ହୋଇ ମଧ୍ୟ ଜଣେ ବଡ଼ ନେତାଙ୍କୁ କିଭଳି ହରାଇଥିଲେ। ସେ କହିଥିଲେ ପାଟକୁରାରେ ତାଙ୍କ ଜିତିବା ସେତେବେଳେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ତେଣୁ ଆଗାମୀ ଦିନରେ ଦଳୀୟ ସଙ୍ଗଠନ ପରିବର୍ଦ୍ଧିତ ହେବ ଓ ଆପଣମାନେ ଧୈର୍ଯ୍ୟ ଓ ସାହସ ରଖନ୍ତୁ ବୋଲି କହିଥିଲେ। ନୂଆ ସରକାର ସମୟରେ ଆମ୍ବଟାକୁଆ ଜାଉ ଖାଇ ଲୋକେ ମଲେଣି। ସେ ମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଥିଲେ ବୋଲି ଅତନୁ ନିଜ ବାହାବା ବଖାଣିଥିବା ଦେଖିବାକୁ ମିଳିଥିଲା।

ସେହିପରି ବିଜେଡି ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ଆସିକାର ଭାଜପା ବିଧାୟକ ସରୋଜ ପାଢୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅତନୁଙ୍କୁ ସଂଖ୍ୟା ଗଣିତ ଠିକ୍‌ ଭାବେ ଜଣାନାହିଁ। ୭-୮ ଜଣ ଗଲେ କ’ଣ ହୋଇଯିବ। ବିଜେଡିର ୨୭ ଜଣ ବିଧାୟକ ଭାଜପା ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି, ବିଜେଡି ଛିଡି ଛିଡି ଆସୁଛି। ଏ ନେଇ ବିଜେଡି ସହ କିଛି ଆଲୋଚନା ହୋଇନାହିଁ କିମ୍ବା ହାଇକମାଣ୍ଡଙ୍କ ପାଖରୁ ସେମିତି କିଛି ନିର୍ଦ୍ଦେଶ ଆସି ନାହିଁ। ବିଜେଡି ବିରୋଧୀଦଳ ଭୂମିକା ତୁଲାଇପାରୁନି କି ରାସ୍ତାକୁ ଆସି ବିରୋଧ କରିବାର ସତ୍‌ସାହସ ରଖିପାରୁନି ବୋଲି ମୋକିମ୍‌ କହିଛନ୍ତି।

Leave A Reply

Your email address will not be published.