ନୂଆଦିଲ୍ଲୀ(ଆମ ଟିଭି): ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ କାନ୍ଧରେ ବନ୍ଧୁକ ରଖି କ୍ଷମତାର ଅଙ୍କ କଷିଥିଲା ବିଜେପି । ହେଲେ ବିଜେପି ବନ୍ଧୁକରୁ ହୋଇଗଲା ମିସଫାୟାର । କେବଳ ଝାଡ଼ଖଣ୍ଡ ନୁହେଁ, ବିହାରରୁ ପଶ୍ଚିମବଙ୍ଗ ଯାଏଁ ଫେଲ୍ ମାରିଛି ବିଜେପିର ବିଭୀଷଣ ପଲିଟିକ୍ସ । ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ଦଳରେ ମିଶାଇ ବିଜେପି କ୍ଷମତାର ସମୀକରଣ କଷିବାରେ ସଫଳ ହେଲା । ସିନ୍ଦେଙ୍କ ବିଦ୍ରୋହକୁ ଜନତା ଅଦାଲତରେ ବି ଜବରଦସ୍ତ ସମର୍ଥନ ମିଳିଲା । ଲୋକସଭା ଫଳାଫଳ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା ତ ବିଧାନସଭା ରେଜଲ୍ଟ ସ୍ପଷ୍ଟ କରିଦେଲା । ତେବେ ଝାଡ଼ଖଣ୍ଡରେ ଫେଲ୍ ମାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଏବେ ଦିଲ୍ଲୀରେ କମାଲ କରିପାରିବେ କି କୈଳାସ ଗେହଲଟ୍?
ଝାଡ଼ଖଣ୍ଡରେ ଚାଲିଲାନି ଚମ୍ପାଇ କାର୍ଡ
ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ୍ । ହେମନ୍ତଙ୍କ ଅନୁପସ୍ଥିତିରେ ସରକାରର ନେତୃତ୍ବ ନେଇଥିଲେ । ତେବେ ହେମନ୍ତ ଜେଲରୁ ଫେରିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ସିଏମ୍ ପଦର ଶପଥ ନେଲେ । ଚମ୍ପାଇ ସୋରେନ୍ ଅସନ୍ତୋଷ ଦେଖାଇବା ସହ ନୂଆ ଦଳ ଗଠନ କରିବାକୁ ଘୋଷଣା କଲେ । ତେବେ ଦିଲ୍ଲୀରେ ବିଜେପି ନେତାଙ୍କୁ ଭେଟିବା ପରେ ମନ ବଦଳାଇଦେଲେ । ବିଜେପିରେ ସାମିଲ ହୋଇଗଲେ । କୋହ୍ଲାନ ଟାଇଗର କୁହାଯାଉଥିବା ଚମ୍ପାଇ ସୋରେନଙ୍କୁ ହେମନ୍ତ ସୋରେନଙ୍କ ବିରୋଧରେ ଅସ୍ତ୍ର ଭାବେ ଚଳାଇବାକୁ ନିର୍ବାଚନରେ ଜୋରଦାର ଉଦ୍ୟମ କଲା ବିଜେପି । ତେବେ ଝାଡଖଣ୍ଡରେ ଜମା ଚାଲିଲାନି ଚମ୍ପାଇ କାର୍ଡ ।
୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁର ପରାଜୟ ପରେ ନିଜ କ୍ୟାବିନେଟ୍ ସାଥୀ ଜିତନ ରାମ ମାଞ୍ଝିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ନୀତିଶ କୁମାର । ତେବେ ୨୦୧୫ ବିଧାନସଭା ନିର୍ବାଚନ ପୂର୍ବରୁ ମାଞ୍ଝିଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହୋଇଗଲେ । ଏହାକୁ ନେଇ ନୀତିଶଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଲେ ମାଞ୍ଝି । ବୟାନବାଜି ସାଙ୍ଗକୁ ଜୋରଦାର ହେଲା ପ୍ରତିଶୋଧ ରାଜନୀତି । ବିଜେପି ବି ତାଙ୍କୁ ସମର୍ଥନ ଜଣାଇଲା । ମାଞ୍ଝିଙ୍କ ଦ୍ବାରା ନୀତିଶଙ୍କୁ ଚେକମେଟ୍ ଦେବାକୁ ଉଦ୍ୟମ କଲା ବିଜେପି । ହେଲେ କିଛି ଲାଭ ହେଲାନି । ଲାଲୁଙ୍କ ସହ ମିଶି ବିଜେପିକୁ ବେଶ୍ ସହଜରେ ମାତ୍ ଦେଲେ ନୀତିଶ । ପରେ ପୁଣି ଜିତନରାମ ମାଞ୍ଝି ନୀତିଶଙ୍କ ସହ ଆସିଲେ । ଏବେ ଏନଡିଏରେ ସାମିଲ ହୋଇ କେନ୍ଦ୍ରରେ ମନ୍ତ୍ରୀ ରହିଛନ୍ତି ।
ଶୁଭେନ୍ଦୁ ଅଧିକାରୀଙ୍କୁ ଦିଦିଙ୍କ ଚକମା
ମମତା ବାନାର୍ଜୀଙ୍କ ନିକଟତମ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପିରେ ମିଶାଇ ପଶ୍ଚିମବଙ୍ଗରେ ବଡ ଗୋଟି ଚଳାଇଥିଲା ଦଳ । ତେବେ ଯେଉଁ ଅଙ୍କ କଷି ଶୁଭେନ୍ଦୁଙ୍କୁ ଆଣିଥିଲା ବିଜେପି ତାହା ଫେଲ୍ ମାରିଲା । ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ହରାଇଲେ ସତ ହେଲେ ଟିଏମସିର ବିଜୟ ରଥ ରୋକିବାରେ ବିଫଳ ହେଲେ । ଖାଲି ସେତିକି ନୁହେଁ ଗତ ଲୋକସଭା ନିର୍ବାଚନରେ ବି ଶୁଭେନ୍ଦୁ ଅଧିକାରୀ ସେଭଳି କରିସ୍ମା ଦେଖାଇ ପାରିଲେନି । ୨୦୧୯ ଅପେକ୍ଷା ରାଜ୍ୟରେ କମ୍ ସିଟ୍ ଜିତିଲା ବିଜେପି ।
କମାଲ କରିବେ କି କୈଳାସ ଗେହଲଟ?
ପୁରୁଣା ଦଳ ବିରୋଧରେ ବିଭୀଷଣ ଗୋଟି ଚଳାଇବାରେ ବିଜେପିରେ ତାଜା ଚେହେରା କୈଳାସ ଗେହଲଟ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି କୈଳାସ । ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିଥିବା ଗେହଲଟ ବିଜେପିରେ ଯୋଗ ଦେଉ ଦେଉ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ବୟାନ ଦେବା ଆରମ୍ଭ କରିଛନ୍ତି । କୈଳାଶ ଗେହଲଟ ଆମ୍ ଆଦମୀ ପାର୍ଟିର ପୁରୁଣା ନେତାଙ୍କ ମଧ୍ୟରୁ ଜଣେ । ୨୦୧୫ରେ ସେ ଆପ ଟିକେଟରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ପରିବହନ ସହ ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ତାଙ୍କୁ ଅସ୍ତ୍ର କରି ଆପ୍ ବିରୋଧରେ ଦିଲ୍ଲୀରେ ନାରେଟିଭ୍ ପ୍ରସ୍ତୁତ କରିବାକୁ ଯୋଜନା କରୁଛି ବିଜେପି । ତେବେ ଦିଲ୍ଲୀରେ କେତେ ଚାଲିବ ବିଜେପିର ବିଭୀଷଣ ରାଜନୀତି? ତାଉପରେ ନଜର ରହିଛି ।