ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ଓ ଏକତରଫା ପରାଜୟକୁ ସହଜରେ ଭୁଲି ପାରୁନି ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି ବା ଏମଭିଏ। ଏବେ ଏମଭିଏ ନିଜର ପରାଜୟ ପାଇଁ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି। ଏଥିସହ ଇଭିଏମ ବିରୋଧରେ ଏମଭିଏ ପକ୍ଷରୁ ଜାତୀୟ ସ୍ତରରେ ବିକ୍ଷୋଭ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।
କଂଗ୍ରେସ, ଶିବସେନା(ଉଦ୍ଧବ ଠାକରେ) ଓ ଏନସିପି(ଶରଦ ପାୱାର)ଙ୍କୁ ନେଇ ଗଠିତ ଏମଭିଏ ଏହି ପ୍ରସଙ୍ଗରେ କୋର୍ଟଙ୍କ ଦ୍ୱାରସ୍ଥ ହେବ। ଇଭିଏମ ବିଦଳରେ ୨୦୧୪ ପୂର୍ବରୁ ଥିବା ବାଲାଟ ପେପର ବ୍ୟବସ୍ଥାରେ ମତଦାନ କରିବା ନିୟମ ସାରା ଦେଶରେ ଲାଗୁ କରିବାକୁ ଏମଭିଏ ନିଜର ଆବେଦନରେ ଦର୍ଶାଇବ।
ଅବଶ୍ୟ ବାଲାଟ ପେପରରେ ଭୋଟିଂ ପାଇଁ ହୋଇଥିବା ଗୋଟିଏ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଥିଲେ। ତଥାପି ଏମଭିଏ ନୂଆ ଯୁକ୍ତି ଓ ତଥ୍ୟ ସହ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଇଭିଏମ ହଟାଅ ଅଭିଯାନକୁ ଜୋରଦାର କରିବ ବୋଲି କୁହାଯାଉଛି।