କୌଣସି ରାଜ୍ୟକୁ ଆଳୁ ଦେବେନି ଦିଦି ; ମମତାଙ୍କ ନିର୍ଦ୍ଦେଶ ପରେ ସୀମାରେ ଅଟକିଲା ଆଳୁ ଗାଡି

0

ଭୁବନେଶ୍ୱର (ଆମ ଟିଭି); ଓଡ଼ିଶାରେ ଦେଖା ଦେଇପାରେ ଆଳୁ ସଙ୍କଟ । ରାଜ୍ୟରେ ଆଗକୁ ଆଳୁର ଦାମ୍‌ ଆକାଶ ଛୁଆଁ ହେବା ସମ୍ଭାବନା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ ଏଭଳି ଆଶଙ୍କା ଦେଖା ଦେଇଛି । ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମମତା ବାନାର୍ଜୀ । ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ, ଜାନୁଆରୀ, ଫେବ୍ରୁଆରୀ ଯାଏଁ ଆଳୁ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ।

ଗତକାଲି ମମତାଙ୍କ ଏହି ବୟାନ ପରେ, ଆଜି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହୋଇ ଯାଇଛି । ଓଡିଶା ସୀମାରେ ଅଟକି ରହିଛି ଆଳୁ ଗାଡ଼ି । ସମସ୍ତ ସୀମା ଗେଟରେ ଆଳୁ ଗାଡି ଅଟକି ଯାଇଛି । ମମତାଙ୍କ ନିର୍ଦ୍ଦେଶ ପରେ, ଗୋଟିଏ ବି ଆଳୁ ଗାଡି ଓଡିଶାକୁ ପ୍ରବେଶ କରୁ ନାହିଁ ।

ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି । ଯେଉଁ କାରଣରୁ ଆନ୍ତଃରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ଯାଉଛି ତାହାକୁ ବନ୍ଦ କରାଯାଇଛି । ଦିନକୁ ଦିନ ବଜାରରେ ଆଳୁ ଏବଂ ପିଆଜ ମୂଲ୍ୟରେ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ବେଲଦା ପାଖରେ ଶତାଧିକ ଗାଡି ଅଟକ ରଖାଯାଇଛି ।

Leave A Reply

Your email address will not be published.