ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଏଥର ୫୯ତମ ସର୍ବଭାରତୀୟ ଆଇଜିପି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ଜମିଛି ସବୁ ରାଜ୍ୟର ପୋଲିସ ମୁଖିଆଙ୍କ ଆସର । ଏହାରି ଭିତରେ ଏବେ ରାଜ୍ୟରେ ସକ୍ରିୟ ହୋଇଛି ଖଲ୍ଲିସ୍ତାନୀ ଉଗ୍ରବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍ । ଗୋଟେ ପରେ ଗୋଟେ ଧମକ ଦେଇ ଓଡିଶାକୁ ଚେତାବନୀ ଦେଉଛି ।
ଆଜି ସକାଳୁ ସକାଳୁ ବରିଷ୍ଠ ସାମ୍ବାଦିକଙ୍କୁ ଭୁବନେଶ୍ବର ଏୟାରପୋର୍ଟ ନେଇ ଧମକପୂର୍ଣ୍ଣ ଇମେଲ ପଠାଇଥିବା ବେଳେ ଏବେ ଏୟାରପୋର୍ଟ ପରିସରରୁ ଠାବ ହୋଇଛି ଅଜଣା ବ୍ୟାଗ୍ । କିଏ ଏବଂ କେଉଁ ପରିସ୍ଥିତିରେ ବ୍ୟାଗକୁ ସେଠାରେ ଚାଡି ଯାଇଛି ସେନେଇ ତନାଘନା ଆରମ୍ଭ ହୋଇଥିଲା । ବ୍ୟାଗରେ ବମ୍ ଥିବା ସନ୍ଦେହ କାରି ବମ୍ ସ୍କ୍ବାଡ ଏବଂ ସନ୍ଧାନୀ କୁକୁର ମାନେ ତନତନ କରି ଯାଞ୍ଚ କରିଥିଲେ ।
ହେଲେ ପରିଶେଷରେ ଉକ୍ତ ବ୍ୟାଗଟି ଜଣେ ଯାତ୍ରୀଙ୍କର ବୋଲି ସୂଚନା ଦେଇଛନ୍ତି ଏସପି । ସିଆଇଏସଏଫ ଡଗ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ ପରେ ଏଥିରେ କିଛି ବିପଦ ପୂର୍ଣ୍ଣ ଜିନିଷ ନଥିବା ଜଣାପଡିଥିଲା । ତେବେ ଏହି ବ୍ୟାଗ ଟି କେଉଁ ଯାତ୍ରୀଙ୍କର ତାହା ସ୍ପଷ୍ଟ ହୋଇପାରିନାହିଁ ।
ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଇ-ମେଲ୍ ପଠାଇଛି । ଅଡ଼ିଓ ମେସେଜରେ ଭୁବନେଶ୍ୱର ଏୟାରପୋର୍ଟକୁ ଟାର୍ଗେଟ କରି ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ ଦେଇଛି । ଏଥିସହିତ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ମଧ୍ୟ ଘୋଷଣା କରିଛି । ତେବେ ଇ-ମେଲରେ ମିଲିଥିବା ମେସେଜ୍ ଉଭୟ ଇଂରାଜୀ ଓ ଓଡିଆରେ ଲେଖାହୋଇଥିବା ବେଳେ ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କାମ କରୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।