୭୩% ବିଧାୟକ କୋଟିପତି; ତଥାପି ନିଜ ଦରମା ବଢ଼ାଇବାକୁ ଦାବି

0

ଭୁବନେଶ୍ୱର(ଆମ ଟିଭି):  କିଛିମାସର ବ୍ୟବଧାନ ପରେ ପୁଣି ନିଜ ଦରମା ବୃଦ୍ଧି ଦାବି କଲେ ସବୁ ଦଳର ବିଧାୟକ । ଆଉ ବାଚସ୍ପତି ସେମାନଙ୍କ ଦାବିକୁ ବିଚାରକୁ ନେଇ ଉପଦେଷ୍ଟା କମିଟି ଘୋଷଣା କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ନବନିର୍ବାଚିତ ସପ୍ତଦଶ ବିଧାନସଭାରେ ୭୩% କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଗତ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ବିଧାନସଭାରେ ବିଧାୟକମାନେ ଏକଜୁଟ ହୋଇ ନିଜର ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି । ଆଉ ବିଧାୟକମାନଙ୍କ ଦାବି ଆଧାରରେ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନରେ ବରିଷ୍ଠ ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ କରିଛନ୍ତି । ଏହି କମିଟି ବିଧାୟକମାନଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ୍ ବୃଦ୍ଧି ନେଇ ତା’ର ରିପୋର୍ଟ ଦେବ । ତେବେ  ଚଳିତ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ଜଣ(୭୩%) ଧନୀ ଓ କୋଟିପତି ବୋଲି ନିଜେ ସ୍ୱୀକାର କରିଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ଏହି ଦରମା ବୃଦ୍ଧି ଦାବିର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି ।

ଏଡିଆର ରିପୋର୍ଟ ଅନୁସାରେ, ଚଳିତ ସପ୍ତଦଶ ବିଧାନସଭାରେ ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ପରିମାଣ ୭.୩୭କୋଟି ଟଙ୍କା । ଯାହାକି ଷୋଡ଼ଶ ବିଧାନସଭା (୨୦୧୯-୨୪)ରେ ହାରାହାରି ୪.୪୧କୋଟି ଟଙ୍କା ଥିଲା । ଗତ ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ୯୫ଥିବାବେଳେ ଚଳିତ ବିଧାନସଭାରେ ଏହି ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ଚଳିତ ବିଧାନସଭାରେ ୫୨ଜଣ ବିଜେପି, ୪୩ଜଣ ବିଜେଡି, ୯ଜଣ କଂଗ୍ରେସ, ୨ଜଣ ସ୍ୱାଧୀନ ଓ ଜଣେ ସିପିଆଇଏମ୍ ବିଧାୟକ କୋଟିପତି ବୋଲି ନିଜେ ସ୍ୱୀକାର କରିଛନ୍ତି ।

ଏବେ ବିଧାୟକମାନଙ୍କୁ ହାତପାଣ୍ଠି ବାବଦରେ ବାର୍ଷିକ ୩କୋଟି ଟଙ୍କା ମିଳୁଛି । ଏହାବାଦ୍ ବିଧାୟକମାନେ ନିଜ ଅଂଚଳର ବିକାଶ ପାଇଁ ‘ସ୍ପେଶାଲ ପ୍ରୋବ୍ଲମ ଫଣ୍ଡ’ରୁ ମଧ୍ୟ ପାଣ୍ଠି ପାଉଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରୁ ନିଜ ନିର୍ବାଚନମଣ୍ଡଳୀ ଓ ଭୋଟରଙ୍କ ବିକାଶ ପାଇଁ ବାର୍ଷିକ ୩କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଉଥିବା ବିଧାୟକମାନେ ନିୟମିତ ବ୍ୟବଧାନରେ ନିଜ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିବାରେ ଲାଗିଛନ୍ତି ।

ବିଜେଡି ସରକାରରେ ବିଧାୟକମାନଙ୍କ ଏଭଳି ଦାବିକୁ ଗ୍ରହଣ କରି ତତକାଳୀନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ୨୦୨୨ ଡିସେମ୍ବର ମାସରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । କମିଟି ମଧ୍ୟ ୨୦୨୩ ମାର୍ଚ୍ଚ ମାସରେ ଦରମା ଓ ଭତ୍ତା ସମେତ ପେନସନ୍ ବୃଦ୍ଧି ନିମନ୍ତେ ତାଙ୍କର ସୁପାରିଶ ରିପୋର୍ଟ ବାଚସ୍ପତିଙ୍କୁ ଦେଇଥିଲେ । ଯାହାକୁ ସେତେବେଳେ ରାଜ୍ୟ ସରକାରଙ୍କ ନିକଟକୁ ବାଚସ୍ପତି ପଠାଇବା ସହ ଏହାଉପରେ ପଦକ୍ଷେପ ନେବାକୁ କହିଥିଲେ ।

ଶ୍ରୀ ଶତପଥୀଙ୍କ କମିଟି ବିଧାୟକମାନଙ୍କ ଦରମା ଓ ଭତ୍ତା ପରିମାଣକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ବିଧାୟକମାନଙ୍କ ପେନସନ ପରିମାଣକୁ ଏକ ଲକ୍ଷ ଟଙ୍କାକୁ ବଢ଼ାଇବା ସହ ପ୍ରଚଳିତ କ୍ୟାପିଙ୍ଗ ବ୍ୟବସ୍ଥାକୁ ଉଠାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀମାନେ ନିଜର ଚାକିରିର ସ୍ଥାୟିତ୍ୱ ଓ ପାରିଶ୍ରମିକ ବୃଦ୍ଧିକୁ ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଉଥିବାରୁ ତତକାଳୀନ ବିଜେଡି ସରକାର ଏହି ଆଇନପ୍ରଣେତାଙ୍କ ଦାବିକୁ ପୂରଣ ପାଇଁ ସାହାସ ଜୁଟାଇପାରିନଥିଲେ । ମାତ୍ର ଏବେ ବିଜେପି ସରକାର କ୍ଷମତାକୁ ଆସିବାପରେ ଏହି ଦରମା ଓ ଭତ୍ତା ବୃଦ୍ଧି ଦାବି ପୁଣିଥରେ ଜୋର ଧରିଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧୯୫୦ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୧ରେ ଏହା ପୁଣିଥରେ ୬୦ହଜାର ଟଙ୍କାକୁ ଓ ୨୦୧୭ ସେପ୍ଟେମ୍ବରରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଧାୟକମାନଙ୍କ ପାଣ୍ଠି(ଏମଏଲଏ ଲ୍ୟାଡ) ପରିମାଣ ମଧ୍ୟ ଏକ କୋଟି ଟଙ୍କାରୁ ୩କୋଟି ଟଙ୍କାକୁ ବୃଦ୍ଧି ପାଇସାରିଛି ।

 

Leave A Reply

Your email address will not be published.