ନୂଆଦିଲ୍ଲୀ(ଆମ ଟିଭି): ବିଧାନସଭା ପୂର୍ବରୁ ଦିଲ୍ଲୀରେ ଆପ୍ ସରକାର ଅଟୋ ଡ୍ରାଇଭରଙ୍କୁ ଖୁସି ଖବର ଦେଇଛନ୍ତି । ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦ ଲକ୍ଷର ଜୀବନ ବୀମା ସହିତ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଛି । ଏଥିସହିତ ସେମାନଙ୍କର ଝିଅ ବାହାଘର ପାଇଁ ୧ ଟଙ୍କାର ସହାୟତା ମଧ୍ୟ ମିଳିବ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କରିଥିବା ଏହି ବଡ଼ ଘୋଷଣାକୁ ନେଇ ଦିଲ୍ଲୀରେ ଏବେ ରାଜନୀତି ହଲଚଲ ହୋଇଛି ।
ଏହି ଅବସରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଅଟୋବାଲାଙ୍କ ସହିତ ମୋର ପୁରୁଣା ସଂପର୍କ ରହିଛି । ଦିଲ୍ଲୀରେ ଆମର ସରକାର ଗଠନ ହେବା ପରେ ଅଟୋ ବାଲାଙ୍କ ଝିଅ ବିବାହରେ ସରକାର ୧ ଲକ୍ଷ ଟଙ୍କା ପ୍ରଦାନ କରିବେ । ଅଟୋ ଡ୍ରାଇଭରଙ୍କ ପାଇଁ ୫ ଲକ୍ଷର ଦୁର୍ଘଟଣା ବୀମା ଏବଂ ୧୦ ଲକ୍ଷ ଜୀବନ ବୀମା । ହୋଲି ଓ ଦୀପାବଳିରେ ପୋଷାକ ପାଇଁ ଅଟୋ ଡ୍ରାଇଭରଙ୍କୁ ୨୫୦୦ ଟଙ୍କା ମିଳିବ । ଅଟୋ ଡ୍ରାଇଭର ପିଲାଙ୍କୁ ଫ୍ରିରେ କୋଚିଂ ମିଳିବ । ଅରବିନ୍ଦ କେଜ୍ରିୱାଲ ନିଜ ପତ୍ନୀଙ୍କ ସହିତ କୋଣ୍ଡଳି ଅଞ୍ଚଳରେ ନବନୀତ କୁମାରଙ୍କ ଅଟୋ ଚାଳକ ସହିତ ଲଞ୍ଚ କରିବାକୁ ଯାଇଥିଲେ । ଏହାପରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ବୃଦ୍ଧମାନଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଥିଲେ । ଦିଲ୍ଲୀର ଅତୀଶ ସରକାର ବୃଦ୍ଧ ବ୍ୟକ୍ତିମାନଙ୍କୁ ପେନସନ୍ ଦେବାକୁ ଘୋଷଣା କରିଥିଲେ । ସରକାର ୮୦ ହଜାର ବୃଦ୍ଧଙ୍କ ପାଇଁ ନୂତନ ବୃଦ୍ଧାବସ୍ଥା ପେନସନ୍ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।
କେଜ୍ରିୱାଲ କହିଥିଲେ, ‘ଆମ ସରକାରରେ ୧.୨୫ ଲକ୍ଷ ପେନସନ୍ ଯୋଗ ହୋଇଛି । ବର୍ତ୍ତମାନ ସମୁଦାୟ ୫ ଲକ୍ଷ ୩୦ ହଜାର ବୃଦ୍ଧ ବ୍ୟକ୍ତିଙ୍କୁ ପେନସନ୍ ରାଶି ମିଳିବ । ମୁଁ ଯେଉଁଆଡ଼େ ଯାଉଥିଲି, ବୃଦ୍ଧମାନେ ପେନସନ ଦାବି କରୁଥିଲେ । ଏହାକୁ ଦିଲ୍ଲୀ ସରକାର ଲାଗୁ କରିଛନ୍ତି । ଗତ ୨୪ ଘଣ୍ଟାରେ ଦଶ ହଜାର ଆବେଦନ ଆସିଛି’ । ୬୦ରୁ ୬୯ ବର୍ଷର ବ୍ୟକ୍ତିଙ୍କୁ ପ୍ରତି ମାସରେ ଦୁଇ ହଜାର ଟଙ୍କା ଦିଆଯିବ । ୭୦ ବର୍ଷ କିମ୍ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରତି ମାସରେ ଅଢ଼େଇ ହଜାର ଟଙ୍କା ପେନସନ ରାଶି ମିଳିବ ।