ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର ଆଣିଛି ଆପ୍ । ଆପ୍ କାର୍ଯ୍ୟକାରୀ କରିଥିବା ଯୋଜନାରେ ମହିଳାଙ୍କୁ ଲାଭ ମିଳିବ । ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗୁରୁବାର ସକାଳେ ଦିଲ୍ଲୀ କ୍ୟାବିନେଟ୍ ମହିଳା ସମ୍ମାନ ଯୋଜନାକୁ ଅନୁମୋଦନ କରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ । ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ୧୮ ରୁ ୬୦ ବର୍ଷ ମହିଳାଙ୍କୁ ଏହି ଯୋଜନାରେ ଫାଇଦା ମିଳିବ ।
ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ପଞ୍ଜୀକରଣ କରାଯିବ । ପଞ୍ଜୀକରଣ ପରେ ଆକାଉଣ୍ଟକୁ ପଇସା ଆସିବ । ଏହି ଘୋଷଣା ବେଳେ କେଜ୍ରିୱାଲ କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରିଥିଲି ଏବଂ ଆଶା କରୁଥିଲି ଯେ ଏହା ମେ’ -ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଯିବ। କିନ୍ତୁ ତାହା ହୋଇ ପାରିନଥିଲା । ଜେଲରୁ ଫେରିବା ପରଠାରୁ ମୁଁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଏହି ଯୋଜନାର କାର୍ଯ୍ୟକାରିତାରେ ବ୍ୟସ୍ତ ଥିଲି ଏବଂ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇଛି । ଅନେକ ମହିଳାମାନେ ନିଜ ପରିବାର ଚଳାନ୍ତି । ପିଲାମାନଙ୍କୁ ସଂସ୍କାର ଦିଅନ୍ତି ଓ ପାଳି ପୋଷି ବଡ଼ କରନ୍ତି ଏବଂ ସେହି ପିଲାମାନେ ହିଁ ଆମର ଭବିଷ୍ୟତ । ଏପରି ସ୍ଥିତିରେ, ଯଦି ଆମେ ମହିଳାମାନଙ୍କୁ କିଛି ସାହାଯ୍ୟ କରିପାରିବା, ତେବେ ଏହା ଆମର ସୌଭାଗ୍ୟ ।