ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ କମ୍ପାନୀ ବନ୍ଦ

0

ନୂଆଦିଲ୍ଲୀ (ଆମ ଟିଭି): ଆଦାନୀ ଗ୍ରୁପର ବଡ଼ ଖୁଲାସା କରିଥିବା ଏବଂ ଆମେରିକୀୟ ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏବେ ନିଜ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ କମ୍ପାନୀକୁ ବନ୍ଦ କରିବା ପାଇଁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଇଏ ହେଉଛି ସେହି କମ୍ପାନୀ ଯାହାର ରିପୋର୍ଟ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା ଏବଂ ଗୌତମ ଆଦାନୀ ଗ୍ରୁପକୁ ବହୁତ କ୍ଷତି ପହଞ୍ଚାଇଥିଲା। ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟରେ କମ୍ପାନୀ ବନ୍ଦ ହେବାର ଘୋଷଣା କରିଛନ୍ତି।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ସ୍ମାର୍ଟ ହେବା ଜାଣିନାହାଁନ୍ତି, ତେଣୁ ସେ ତାଙ୍କ କମ୍ପାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ସହିତ, ଐତିହାସିକ ଆର୍ଥିକ ତଦନ୍ତ ଯୁଗର ମଧ୍ୟ ଅନ୍ତ ଘଟିଛି। ଆଦାନୀ ଗ୍ରୁପକୁ ବିପୁଳ କ୍ଷତି ପହଞ୍ଚାଇଥିବା ଆମେରିକାର ଏକ ସର୍ଟ-ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ପ୍ରତିଷ୍ଠାତା ନାଥନ ଆଣ୍ଡରସନ ଏକ୍ସ’ରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ତାଙ୍କର ଯାତ୍ରା, ସଂଘର୍ଷ ଏବଂ ସଫଳତା ବାଣ୍ଟିଛନ୍ତି। ଆଣ୍ଡରସନ ପୋଷ୍ଟରେ ଲେଖିଛନ୍ତି, ଆମେ ଯେଉଁ ଧାରଣା ଉପରେ କାମ କରୁଥିଲୁ ତାହା ସମାପ୍ତ କରିବା ପରେ ଏହାକୁ ବନ୍ଦ କରିବାର ଯୋଜନା ଥିଲା। ତେଣୁ ଆଜି ସେହି ଦିନ ଆସିଯାଇଛି।

ସେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ମୋର ଅଧିକାଂଶ ଚାକିରିରେ ଜଣେ ଭଲ କର୍ମଚାରୀ ଥିଲି କିନ୍ତୁ ଅଧିକାଂଶ ସମୟରେ ମୋତେ ଅଣଦେଖା କରାଯାଉଥିଲା, ମୁଁ ଚାଲାକ ଥିଲି, ଯେତେବେଳେ ମୁଁ ଏହି ଚାକିରି ଆରମ୍ଭ କରିଥିଲି ସେତେବେଳେ ମୋ ପାଖରେ ଏତେ ଟଙ୍କା ନ ଥିଲା। ଚାକିରି ଛାଡିବା ପରେ, ମୋ ବିରୋଧରେ ରୁଜୁ ହୋଇଥିବା ତିନୋଟି ମାମଲାରେ ମୋର ବଳକା ସଞ୍ଚୟ ମଧ୍ୟ ଶେଷ ହୋଇଗଲା। ସେହି ସମୟରେ, ଯଦି ମୁଁ ବିଶ୍ୱ ପ୍ରସିଦ୍ଧ ହୱିସିଲବ୍ଲୋୟର ଓକିଲ ବ୍ରାଏନ ଉଡଙ୍କୁ ସମର୍ଥନ ପାଇ ନ ଥାନ୍ତି, ତେବେ ମୁଁ ପ୍ରଥମ ପଦକ୍ଷେପରେ ହିଁ ବିଫଳ ହୋଇଥାନ୍ତି। ମୁଁ ଛୋଟ ପିଲା ପରି ଡରିଯାଉଥିଲି, କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଯଦି ମୁଁ ଆଗକୁ ନ ବଢିବି ତେବେ ମୁଁ ଭାଙ୍ଗି ପଡ଼ିବି। ମୋ ପାଖରେ ଆଗକୁ ବଢ଼ିବାର ବିକଳ୍ପ ଥିଲା।

ସୂଚନାଥାଉ କି,୨୦୧୭ରେ ହିଣ୍ଡେନବର୍ଗର ପ୍ରତିଷ୍ଠା ପରଠାରୁ, ଏହି ଗବେଷଣା ସଂସ୍ଥା ଶିଳ୍ପରେ ଠକେଇ, ଦୁର୍ନୀତି ଏବଂ କୁପରିଚାଳନା ପର୍ଦ୍ଦାଫାସ କରିବା ପାଇଁ ଏକ ଖ୍ୟାତି ଅର୍ଜନ କରିଛି। ଆଣ୍ଡରସନ ତାଙ୍କର ସଫଳତାକୁ କିଛି ବଡ଼ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ଭାବରେ ବର୍ଣ୍ଣନା କରିଥିଲେ ଯାହାକୁ ଦୋହଲାଇ ଦେବା ଆବଶ୍ୟକ ବୋଲି ସେ ଅନୁଭବ କରିଥିଲେ। ହିଣ୍ଡେନବର୍ଗ ରିପୋର୍ଟ ଦ୍ୱାରା ଆଦାନୀ ଏବଂ ବ୍ଲକ ଇନକର୍ପୋରେଟେଡ , ସେବି ସମେତ ଅନେକ କୋଟିପତି ଭୟଭୀତ ହୋଇ ଯାଇଥିଲେ। ୨୦୨୩ ମସିହାରେ ହିଣ୍ଡେନବର୍ଗ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଉପରେ ଠକେଇ ଓ ଦୂର୍ନୀତିର ଅଭିଯୋଗ ଆଣି ଏକ ରିପୋର୍ଟ ପ୍ରକାଶ କରିଥିଲେ। ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଆଦାନୀ ସେହି ସମୟରେ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଥିଲେ। କିନ୍ତୁ ରିପୋର୍ଟ ଆସିବା ପରେ, ଆଦାନୀ ସେହି ବର୍ଷ ୯୯ବିଲିୟନ ଡଲାରର କ୍ଷତି ସହିଥିଲେ। ଅନ୍ୟପକ୍ଷେ, ତାଙ୍କର ସାର୍ବଜନୀନ ଭାବରେ ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୧୭୩ ବିଲିୟନ ଡଲାର ହ୍ରାସ ପାଇଥିଲା।

ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବାର ନିଷ୍ପତ୍ତିକୁ ନେଇ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ସେ ଯାହା କରିବାକୁ ଚାହୁଁଥିଲେ ତାହା କରିସାରିଛନ୍ତି। କମ୍ପାନୀ ବନ୍ଦ କରିବା ପଛରେ କୌଣସି ର୍ନିଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ, କିମ୍ବା କୌଣସି ବିପଦ ନାହିଁ, କୌଣସି ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ନାହିଁ। ତେବେ ହିଣ୍ଡେନବର୍ଗ ଫାର୍ମ ବନ୍ଦ କରିବା ପରେ ଆଣ୍ଡରସନ କଣ କରିବେ ଏବଂ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ଏବେ ତାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.