ନୂଆଦିଲ୍ଲୀ (ଆମ ଟିଭି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ସହିତ ସେ ଲଗାତାର ୮ମ ବଜେଟ ଉପସ୍ଥାପନ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନୂତନ ଆୟକର ବିଲ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି, ଆସନ୍ତା ସପ୍ତାହରେ ଏକ ନୂତନ ବିଲ୍ ଆସିବ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ବଜେଟ ଭାଷଣ ଆରମ୍ଭ କରି କହିଛନ୍ତି, ଯେ ଏହି ବଜେଟ ସାଧାରଣ ଲୋକଙ୍କ ଖର୍ଚ୍ଚ କ୍ଷମତା ବୃଦ୍ଧି କରିବ। ସେ କହିଛନ୍ତି ଯେ ବଜେଟର ଲକ୍ଷ୍ୟ ଦେଶର ଅର୍ଥନୀତିର ଅଭିବୃଦ୍ଧି ହାରକୁ ବୃଦ୍ଧି କରିବା, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସୁନିଶ୍ଚିତ କରିବା ସହିତ ଘରୋଇ କ୍ଷେତ୍ରର ନିବେଶକୁ ବୃଦ୍ଧି କରିବା।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜେଟ ୨୦୨୫ ଗରିବ, ଯୁବକ, ଚାଷୀ ଏବଂ ମହିଳାମାନଙ୍କ ଉପରେ ଧ୍ୟାନ ଦେଇ ୧୦ଟି ବ୍ୟାପକ କ୍ଷେତ୍ରକୁ କଭର କରିଛି। କୃଷି, ଏମଏସଏମଇ, ନିବେଶ ଏବଂ ରପ୍ତାନି ହେଉଛି ଅଭିବୃଦ୍ଧିର ଇଞ୍ଜିନ। ବଜେଟରେ, ଅର୍ଥମନ୍ତ୍ରୀ କିଷାନ କ୍ରେଡିଟ କାର୍ଡ (କେସିସି)ର ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ଚାଷୀମାନଙ୍କୁ ଶସ୍ତା ଋଣ ପାଇବାରେ ସାହାଯ୍ୟ କରିବ।