ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ଜଳିବ ଝାଡ଼ଦୀପ

0

ମହିମାଧର୍ମର ବିଶ୍ୱ ପ୍ରସିଦ୍ଧ ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ମଙ୍ଗଳବାର ଠାରୁ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏଥିପାଇଁ ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ୍‌ଙ୍କ ସମାଗମରେ ମହିମାଗାଦି ଯୋରନ୍ଦା ଚଳଚଞ୍ଚଳ ହୋଇଉଠିଛି। ସନ୍ଧ୍ୟା ୫ଟା ୨୦ରେ ବିଶ୍ୱ କଲ୍ୟାଣ ପାଇଁ ଘୃତାହୁତି କରାଯାଇ ଗାଦି ମନ୍ଦିରରେ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରି ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିବେ। ଚଳିତବର୍ଷ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ମାଘ ମେଳା ପାଇଁ ମଙ୍ଗଳବାର ଭୋର ସମୟରୁ ମହିମା ସନ୍ନ୍ୟାସୀମାନେ ସମସ୍ତ ନୀତିକାନ୍ତି ଆରମ୍ଭ କରିବେ। ଚଳିତବର୍ଷ ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ସାଧୁସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେଲାଣି। ସେହିପରି ଚଳିତବର୍ଷ ପ୍ରଥମ କରି ଜିଲା ପ୍ରଶାସନ ପକ୍ଷରୁ ମାଘ ମେଳା ଉପଲକ୍ଷେ ମହିମାଗାଦି ଯୋରନ୍ଦାରେ ଉପଖଣ୍ଡସ୍ତରୀୟ ୫୦ଟି ଷ୍ଟଲକୁ ନେଇ ଏକ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେଉଛି। ସେହିପରି ବିଭିନ୍ନ କିସମର ଦୋଳି ପଡିଥିବା ବେଳେ ଉଠା ଦୋକାନୀମାନେ ବ୍ୟବସାୟ ପାଇଁ ପସରା ମେଲାଇଛନ୍ତି। ମନୋରଞ୍ଜନ ପାଇଁ ଅପେରା ପାର୍ଟି ପଡିଛି। ଗାଦି ମନ୍ଦିର ଭିତରେ ଧାଡ଼ିରେ ପ୍ରବେଶ ପାଇଁ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ମେଳାକୁ ଶାନ୍ତିଶୃଙ୍ଖଳର ସହ ପରିଚାଳନା କରିବା ପାଇଁ ସାଧୁସନ୍ଥଙ୍କ ଉପସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ୨ଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିିଛି। ସେହିପରି ମେଳା ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜରରେ ରଖି ପାନୀୟଜଳ, ଆଲୋକୀକରଣ, ଆଶୁ ଚିକିତ୍ସା, ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହ ଯାତ୍ରୀଙ୍କ ଠାରୁ ଅଧିକ ଗାଡ଼ି ଭଡ଼ା ଆଦାୟ ନ କରିବା ଆଦି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚଳିତବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପି ଅଭିନବ ସୋନକରଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସ୍‌ପି, ୫ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୫୯ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.