ଭୁବେନଶ୍ବର (ଆମ ଟିଭି): କିଟ୍ ବିଶ୍ୱ ବିଦ୍ୟାଳୟକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହେଉଛି। ଏଭଳିସ୍ଥିତିରେ କିଟ୍ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି। କଲେଜରେ ପ୍ଲେସମେଣ୍ଟ ନାଁରେ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଜଣେ ପୂର୍ବତନ ଏମ୍ବିଏ ଛାତ୍ରୀ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଏପରିକି କଲେଜ କର୍ତ୍ତୃପକ୍ଷ ତାଙ୍କ କ୍ୟାରିଅର୍ ଖରାପ ମଧ୍ୟ କରିଦେଇଥିବା ବୟାନ ଦେଇଛନ୍ତି। ପିଡ଼ୀତା ଛାତ୍ରୀ ଜଣକ ୪ ଦିନ ତଳେ କନିଶନରେଟ୍ ପୋଲିସ ମୁଖ୍ୟାଳୟରେ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମେଲ ଯୋଗେ ଅଭିଯୋଗ ପତ୍ର ପଠାଇଛନ୍ତି। କଲେଜ ପ୍ଲେସମେଣ୍ଟରେ ସ୍ବଚ୍ଛତା ନଥିବା ମଧ୍ୟ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ଏମ୍ବିଏ ବିଭାଗରେ ୨୦୨୨ରେ ପାସଆଉଟ୍ ହୋଇଥିଲେ। ତାଙ୍କୁ ଭଲ କମ୍ପାନୀରେ ନିଯୁକ୍ତି ଦେବାକୁ କହି ପ୍ଲେସମେଣ୍ଟ ସେଲ ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ପ୍ରଥମେ ତାଙ୍କୁ ଏଚ୍ଆର୍ କମ୍ପାନୀ କହି ବେଙ୍ଗାଲୁରୁସ୍ଥିତ କଲ ସେଣ୍ଟରେ ନିଯୁକ୍ତି ଦିଆଯାଇଥିଲା। ଏନେଇ କର୍ତ୍ତୃପକ୍ଷଙ୍କୁ ସେ ସୂଚନା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ପରେ ଦ୍ୱିତୀୟ ଥର ଏକ କମ୍ପାନୀ ଅଧୀନରେ ଡୋର ସର୍ଭିସ୍ ଦିଆଯାଇଥିଲା। ଏଭଳି ଭାବରେ କଲେଜ ପକ୍ଷରୁ ତାଙ୍କୁ ନିର୍ଯାତନା ଦେଇ କ୍ୟାରିଅର ଖରାପ କରିଦେଇଥିଲେ। ସେ ଶିକ୍ଷା ଋଣ କରିଥିବା ବେଳେ ବାପା ଚାକିରିରୁ ଅବସର ନେଇସାରିବା ସହ ମା’ ନାହାନ୍ତି ବୋଲି କହିଥିଲେ। ଆର୍ଥିକ ସ୍ଥିତି ଖରାପ ଥିବାରୁ ଭଲ କମ୍ପାନୀରେ ଚାକିରି ଦେବାକୁ ସେ କହିଥିଲେ। ହେଲେ କଲେଜ ପକ୍ଷରୁ ତାଙ୍କୁ ଓ ତାଙ୍କ ବାପାଙ୍କୁ ଅନେକ ଥର ଡାକି ଅପମାନ କରାଯିବା ସହ ନିର୍ଯାତନା ଦିଆଯାଇଥିଲା। ନିର୍ଯାତନା ଏତେ ଅସହ୍ୟ ହୋଇଥିଲା ଯେ, ଛାତ୍ରୀଜଣଙ୍କ ଭରସା ହରାଇ ତାଙ୍କ ଅରିଜିନାଲ ଡିଗ୍ରି ସାର୍ଟିଫିକେଟ୍ ମଧ୍ୟ କଲେଜରେ ଫେରାଇ ଦେଇ ଆସିଥିଲେ।
ତେବେ ଅଭିଯୋଗ ପତ୍ରରେ ପ୍ଲେସମେଣ୍ଟ ସେଲ ମୁଖ୍ୟ ଓ କ୍ଲର୍କଙ୍କ ନାଁ ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗକୁ ଯାଇ ଅଭିଯୋଗ କରିବେ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି। ସୋମବାର ପୋଲିସ ପକ୍ଷରୁ ତାଙ୍କୁ ଆଲୋଚନା ପାଇଁ ଡକାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଛାତ୍ରୀ ଜଣକ କହିଛନ୍ତି। ତେବେ ଛାତ୍ରୀଙ୍କ ଅଭିଯୋଗକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।