ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି, ଜାଣନ୍ତୁ କିଏ କଣ କହିଲେ?

0

ଭୁବନେଶ୍ବର(ଆମ ଟିଭି): ଆଜି ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ ସଫଳତା ବୋଲି କହୁଥିବା ବେଳେ ନବୀନ ଏହାକୁ ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ଆଜି ବ୍ରହ୍ମପୁରରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଏହି ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ସୁଭଦ୍ରା ଯୋଜନାର ସଫଳତା ନେଇ ବିରୋଧୀ ହଜମ କରିପାରୁ ନାହଁନ୍ତି। ସେମାନଙ୍କୁ ହଜମ ଗୁଳି ଦରକାର ବୋଲି ତାତ୍ସଲ୍ୟ କରିଥିଲେ।

ସେ କହିଥିଲେ ଯେ, ଯେଉଁମାନେ ପଚାରୁଛନ୍ତି ଯେ ଆମ ସରକାର ୯ ମାସରେ କ’ଣ କରିଛି, ସେମାନଙ୍କୁ କୁହନ୍ତୁ ଯେ ୨୪ ବର୍ଷରେ ଯେଉଁ ସରକାର ମହିଳାଙ୍କ ପାଇଁ କେବଳ ସ୍ଲୋଗାନ ଦେଉଥିଲେ, ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ଐତିହାସିକ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଖୁସିର ବିଷୟ ଯେ ତିନିମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରି ଆଜି ୯ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ, ସେମାନେ ବିଶ୍ୱାସ କରି ପାରୁନାହାନ୍ତି ଯେ ଚାଷୀଙ୍କୁ ୨୪ ବର୍ଷ ରେ MSP ଠାରୁ କିଛି ଅଧିକ ଟଙ୍କା ଦେଇ ପାରିଲେ ନାହିଁ , କିନ୍ତୁ ଏ ନୂଆ ସରକାର କିପରି ଭାବେ ୨୪ ମିନିଟରେ କୁଇଣ୍ଟାଲ ପିଛା ୧୦୦ ନୁହେଁ, ୮୦୦ ଟଙ୍କା ଦେବା ପାଇଁ ନିଷ୍ଫତ୍ତି ନେଇଗଲେ।୨୪ ବର୍ଷ ଧରି ଆପଣ ଯାହା କରିବାକୁ ଚିନ୍ତା କରିପାରି ନ ଥିଲେ ଆମେ ତାକୁ କାର୍ଯ୍ୟରେ ପରିଣତ କରିଛୁ। ଗରିବ ପରିବାରଙ୍କ କନ୍ୟା ସନ୍ତାନ ବିବାହ ଏବଂ ରାଜ୍ୟର ଗରିବ ଜନସାଧାରଣଙ୍କୁ ନିଃଶୁଳ୍କ ଜଗନ୍ନାଥ ଦର୍ଶନ କରାଇବାର ନିଷ୍ପତ୍ତି ମଧ୍ୟ ଆମେ ନେଇଛୁ।

ତେବେ ଶଙ୍ଖ ଭବନରେ ମହିଳା ଦିବସରେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ସୁଭଦ୍ରା ଯୋଜନା ନେଇ ବେଶ ପ୍ରଚାର କରୁଛନ୍ତି। ହେଲେ ସେମାନେ ମହିଳାଙ୍କୁ ଦିନକୁ ମାତ୍ର 27 ଟଙ୍କା ଦେଉଛନ୍ତି। ଏହି ଟଙ୍କାରେ ମହିଳାମାନେ କଣ କରିବେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.