ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଡହ ଡହ ଖରା ସହ କଲବଳ କରୁଛି ତାତି। ଗତ ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ଆଜିଠାରୁ ପୁଣି ବଢିଛି ତାତି। ତାତି ବଢୁଥିବା ବେଳେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ। ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ ଜାରି କରିଥିବା ବେଳେ ଏବେ ତାତିର ତାଉରେ ଜଳିବ ପଶ୍ଚିମ ଓଡିଶା। ତା’ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି।
ସମ୍ବଲପୁର, କଳାହାଣ୍ଡି, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଆଦି ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜିଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ। ୭ ଦିନ ଯାଏ ପାଗ ଶୁଖିଲା ରହିବ। ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବି ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ।