ଡରାଇଲାଣି ତାତିର ତାଉ: ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡେଇଁଲା ପାରଦ

0

ଭୁବନେଶ୍ବର (ଆମ ଟିଭି): ଏବେଠୁ ଠାରାଇଲାଣି ତାତି । ମାର୍ଚ୍ଚ ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟ ତଥା ଦେଶରେ ଅନୁଭୂତ ହେଲାଣି । ଆଜି ଝାରସୁଗୁଡାରେ ଦିନ ୧୧ଟା ୩୦ରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଏହି ସମୟରେ ଝାରସୁଗୁଡାରେ ତାପମାତ୍ରା ୩୩.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ପ୍ରବଳ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା । ସେହିପରି କେନ୍ଦୁଝର ୩୬, ସମ୍ବଲପୁର ୩୫.୬, ରାଉରକେଲା ଓ ବାଲେଶ୍ବର ୩୫.୨, ହୀରାକୁଦ ୩୫, ଭୁବନେଶ୍ବର ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ସେପଟେ ରାଜ୍ୟରେ ବର୍ତ୍ତମାନ ଉପକୂଳରୁ ଉପାନ୍ତ, କେଉଁଠି ତାତିରୁ ତ୍ରାହି ନାହିଁ । ପ୍ରଚଣ୍ଡ ରୌଦ୍ର ତାପ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡିଶାରେ ମଧ୍ୟ ହିଟ୍ ଓ୍ବେଭକୁ ନେଇ ଆଲର୍ଟ ଜାରି କରାଯାଇଛି । ଏନେଇ ଆସନ୍ତା ୪ ଦିନ ଅର୍ଥାତ୍ ୧୪, ୧୫ ଏବଂ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଛି । ସେହିପରି ୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ଏବଂ ୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ରୁ ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଜାତୀୟ ରାଜଧାନୀରେ ପାଗ ପରିବର୍ତ୍ତନ ଦୃଶ୍ୟମାନ ହୋଇଛି । ଲଗାତାର ଗରମ କଲବଲ କରୁଥିବା ବେଳେ ଏବେ ଉଷ୍ମ ଦିନ ଆସିବା ସହିତ ଜାତୀୟ ରାଜଧାନୀରେ ତାପମାତ୍ରାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଅନୁଭବ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ,ଏନସିଆରରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଏବଂ ସର୍ବାଧିକ ତାପମାତ୍ରାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆଜି ରାତିରେ ଆକାଶ ଆଂଶିକ ମେଘୁଆ ରହିବ ଏବଂ ଝିପିଝିପି ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଗତକାଲି ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ ପଶ୍ଚିମା ପବନ ୧୦ କିଲୋମିଟରରୁ କମ୍ ବେଗରେ ବହିଥିଲା ।

ଆଉ ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧୪ ଏବଂ ୧୫ ତାରିଖରେ ମଧ୍ୟ ସାଧାରଣତଃ ମେଘୁଆ ଆକାଶ ରହିବ ଏବଂ ସାରା ସହରରେ ହାଲୁକା ବର୍ଷା କିମ୍ବା ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ, ୧୬ ତାରିଖ ସକାଳ ସମୟରେ ଆକାଶ ଆଂଶିକ ମେଘୁଆ ରହିବ ଏବଂ କୁହୁଡ଼ି ରହିବ ।

Leave A Reply

Your email address will not be published.