୨ ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ

0

ବାରିପଦା (ଆମ ଟିଭି): ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର)ର କର୍ତ୍ତୃପକ୍ଷ ଶନିବାର ଏବଂ ରବିବାର ଜାତୀୟ ଉଦ୍ୟାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶିମିଳିପାଳର ଆଞ୍ଚଳିକ ମୁଖ୍ୟ ସଂରକ୍ଷକ ଏବଂ ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାର୍କ ବନ୍ଦ ରହିବ।

ପାଗ ସୁଧୁରିବା ପରେ ତଥା ସ୍ଥିତି ସମୀକ୍ଷା କରିବା ପରେ ପର୍ଯ୍ୟଟକମାନଙ୍କୁ ପାର୍କରେ ପ୍ରବେଶ କରିବାକୁ ଅନୁମତି ଦିଆହେବ। ଗୋଗିନେନି ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଶିମିଳିପାଳ ପୁନଃ ଖୋଲିବାର ସଠିକ୍ ତାରିଖ ପରବର୍ତ୍ତୀ ସମୟରେ ସୂଚିତ କରାଯିବ।

ଉଲ୍ଲେଖଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଯାହା ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ପାଇଁ ଜଣାଶୁଣା। ପାର୍କରେ ଅନେକ ଜଳପ୍ରପାତ ମଧ୍ୟ ରହିଛି। ଯେଉଁଥିରେ ବରେହିପାଣି ଜଳପ୍ରପାତ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଭାରତର ସର୍ବୋଚ୍ଚ ଜଳପ୍ରପାତ ମଧ୍ୟରୁ ଗୋଟିଏ।

Leave A Reply

Your email address will not be published.