ଗେହେଲଟ୍ ହେବେ କଂଗ୍ରେସ ଅଧ୍ୟକ୍ଷ !
ନୂଆଦିଲ୍ଲୀ(ଆମ ଟିଭି): ୨୦୧୯ ଲୋକସଭା ନିର୍ବାଚନ ପରଠୁ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କିଏ ହେବ ? କଂଗ୍ରେସ ପାଇଁ ଏହା ସବୁଠୁ ବଡ ପ୍ରଶ୍ନ ହୋଇ ରହିଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ଦଳରେ ଦ୍ଵନ୍ଦ୍ଵାତ୍ମକ ସ୍ଥିତି ଉପୁଜିଛି। ସୋନିଆ ଗାନ୍ଧୀ ଦଳର ନେତୃତ୍ଵ ନେବେ ନା କଂଗ୍ରେସ ବାହାରୁ କାହାକୁ ଅଧ୍ୟକ୍ଷ ପଦ ମିଳିବ। ଏସବୁ କଳ୍ପନା ଜଳ୍ପନା ମଧ୍ୟରେ ସୋନିଆ ଗାନ୍ଧୀ ଚିକିତ୍ସା ପାଇଁ ବିଦେଶ ଯିବା ପୂର୍ବରୁ ଅଶୋକ ଗେହେଲଟଙ୍କୁ ଡକାଇଥିଲେ। ଏହି ସମୟରେ ସୋନିଆ ଗେହଲଟଙ୍କୁ ଅଧ୍ୟକ୍ଷ ହେବାକୁ ଅନୁରୋଧ କରିଥିବା କୁହାଯାଉଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧୀଙ୍କୁ ଭେଟିବା ଏବଂ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ଅନୁରୋଧ ଉପରେ ପ୍ରଶ୍ନ କଲେ, ଏହାର ଜବାବରେ ଗେହେଲଟ୍ କହିଛନ୍ତି, ସୋନିଆ ଜୀଙ୍କୁ ଭେଟିବିନି ତ କଣ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବି।
ଗେହେଲଟ୍ ତାଙ୍କର କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଖବରକୁ ଗୁଜବ ବୋଲି କହିଛନ୍ତି। ସେ ମଜାଳିଆ ଶୈଳୀରେ କହିଛନ୍ତି, ଯଦି ସୋନିଆ ଜୀ ମିଡିଆକୁ ଏମିତି କହିଛନ୍ତି, ତେବେ ତାଙ୍କର କିଛି କହିବାର ନାହିଁ। ଅଗଷ୍ଟ ୨୮ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଏଥିରେ କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ତାରିଖ ସ୍ଥିର କରାଯିବ ବୋଲି ଗେହେଲଟ୍ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଏବଂ କଂଗ୍ରେସର ପ୍ରତିଟି କର୍ମୀଙ୍କ ଆନ୍ତରିକ ଇଚ୍ଛା ଏହା ଯେ, ରାହୁଲ ଗାନ୍ଧୀ କଂଗ୍ରେସର ନେତୃତ୍ଵ ନିଅନ୍ତୁ। ହେଲେ ରାହୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି। ତଥାପି ତାଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି। ତାଙ୍କର ଏହି ନା କଂଗ୍ରେସର ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରୁଥିବା ଗେହେଲଟ୍ କହିଛନ୍ତି।