ଗଣମାଧ୍ୟମ ଦମନକୁ ବରଦାସ୍ତ କରାଯିବ ନାହିଁ- ଆଇନ ମନ୍ତ୍ରୀ

ଭୁବନେଶ୍ୱର ସାମ୍ବାଦିକ ସଂଘର‌ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର (ଆମ ଟିଭି): ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ଦିଗରେ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି। ଆଗକୁ ସାମ୍ବାଦିକମାନଙ୍କର ସମ୍ମାନ ଓ ସ୍ୱାଧୀନତା ବଢିବ, ହେଲେ କମିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି। ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କରିଛନ୍ତି, ଅତୀତରେ କଣ ଘଟିଛି କି ନ ଘଟିଛି ତାହା ଅଲଗା କଥା; ସାମ୍ବାଦିକମାନେ ତୃତୀୟ ମହଲା କିମ୍ବା ବିଧାନସଭା ଲବି ଭିତରକୁ ଯାଇପାରିଲେ କି ନ ଯାଇପାରିଲେ ତାହା ପ୍ରସଙ୍ଗ ନୁହେଁ, କିନ୍ତୁ ସାମ୍ବାଦିକମାନଙ୍କ ସ୍ୱାଧୀନତା ଏବଂ ନିରପେକ୍ଷତା ଉପରେ ଯଦି କେବେ ବି ଆଞ୍ଚ ଆସେ ମନ୍ତ୍ରିମଣ୍ଡଳରେ ଥାଇ ମଧ୍ୟ ମୁଁ ସାମ୍ବାଦିକମାନଙ୍କ ସହିତ ରହିବି। ଆମ ସରକାର କ୍ଷମତାକୁ ଆସିବା ପରେ ସଚିବାଳୟକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି । ସାମ୍ବାଦିକଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ହେଲେ ସଚିବାଳୟରେ ସାମ୍ବାଦିକଙ୍କ ପାଇଁ ଥିବା ପ୍ରେସ ଲାଉଞ୍ଜ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଅନେକ ସାମ୍ବାଦିକ ବାରଣ୍ଡାରେ ଅପେକ୍ଷା କରୁଛନ୍ତି । ଏହା ଆମ ନଜରକୁ ଆସିବା ପରେ ଏହାର ତୁରନ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ଦିଗରେ ସରକାରୀ ସ୍ତରରେ ଆଲୋଚନା ଜାରି ରହିଛି। ମନ୍ତ୍ରୀ କହିଛନ୍ତି ଯେ, ଆଜି ବ୍ୟବସାୟିକ ମନୋବୃତ୍ତି ଯୋଗୁଁ ସାମ୍ବାଦିକ ଓ ସାମ୍ବାଦିକତା ନିଜର ସ୍ୱାଧୀନତା ହରାଇ ବସିଛି ।

ନିଜର ରାଜନୈତିକ ଉଦ୍ଦେଶ୍ୟ ଲାଗି କେତେକ ମାଲିକ ନିଜର ଖବରକାଗଜ ବା ଟିଭି ଚାନେଲକୁ ବ୍ୟବହାର କରୁଛନ୍ତି । ଫଳରେ ସେହି ମିଡ଼ିଆ ହାଉସରେ କାମ କରୁଥିବା ସାମ୍ବାଦିକ ଚାପର ବଶବର୍ତ୍ତୀ ହୋଇ ନିଜର ସ୍ୱାଧୀନତା ହରାଉଛି । ନିରପେକ୍ଷ ଖବର ବଦଳରେ ସେ ପକ୍ଷପାତିତା କରୁଛି । ତେଣୁ ସାମ୍ବାଦିକମାନେ ଏକଜୁଟ ହୋଇ ନିଜର ସ୍ୱାଧିନତା ହାସଲ କଲେ, ନିରପେକ୍ଷ ଖବର ପ୍ରକାଶ ପାଇପାରିବ । ନିରପେକ୍ଷ ଖବର ପ୍ରକାଶ ପାଇଲେ ସରକାର ଓ ସମାଜ ପାଇଁ ମଙ୍ଗଳମୟ ହେବ । କେତେକ କ୍ଷେତ୍ରରେ ସମାଲୋଚନାମୂଳକ ଖବର ପ୍ରକାଶ କଲେ, ସେ ସାମ୍ବାଦିକ ଆକ୍ରୋଶର ଶିକାର ହେଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହି କ୍ଷେତ୍ରରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏକ ଆଇନ ଆଣିବାକୁ ବିଚାରବିମର୍ଶ କରୁଛନ୍ତି ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ ପ୍ରେସ ସ୍ୱାଧୀନତା ଓ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଏଥିସହିତ ସେ ସାମ୍ବାଦିକଙ୍କ ମୁଖପାତ୍ର ସାଜି ସାମ୍ବାଦିକଙ୍କ ସୁବିଧା- ଅସୁବିଧା ସରକାରଙ୍କୁ ଜଣାଇବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ତଥା ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ତେଲେଙ୍ଗାନାର ବରିଷ୍ଠ ସାମ୍ବାଦିକ ସେକ ଇସଲାମୁଦ୍ଦିନ ଓ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା କାର୍ଯ୍ୟକ୍ରମ ସଞ୍ଚାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ସୁରେଶ ସ୍ୱାଇଁ, ମୁକେଶ ପରିଡା, ଦୀପକ ବେହେରା, ସୋଆର ଲୋକସମ୍ପର୍କ ଅଧିକାରିଣୀ ଶୁଭଦର୍ଶିନୀ ମିଶ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.