ସାଉଥ ଆଫ୍ରିକା କ୍ରିକେଟ ଫ୍ୟାନ୍ସଙ୍କୁ ଝଟକା, ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଲେ ହେନରିକ୍ କ୍ଲାସେନ

0

ନୂଆଦିଲ୍ଲୀ (ଆମ ଟିଭି):  ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । କ୍ଲାସେନ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି ।

୩୩ ବର୍ଷୀୟ ହେନରିକ୍ କ୍ଲାସେନ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ଫଟୋ ସେୟାର କରି ଲେଖିଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ଦିନ । ଇଣ୍ଟରନ୍ୟାସନାଲ୍ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ଏହା କଠିନ ନିଷ୍ପତ୍ତି ଥିଲା, କିନ୍ତୁ ମୁଁ ଏଥିରେ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ । ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ସମ୍ମାନର ବିଷୟ ।

ହେନରିକ୍ କ୍ଲାସେନ ଲେଖିଛନ୍ତି, ଦେଶ ପାଇଁ ଖେଳିବା, ମୋର ପିଲା ଦିନରୁ ମୋର ସ୍ୱପ୍ନ ରହିଥିଲା । ମୁଁ ଏଥିପାଇଁ ପରିଶ୍ରମ କରିଥିଲି । ଏହି ସମୟରେ ମୁଁ ଅନେକ ଭଲ ବନ୍ଧୁ ଓ ସମ୍ପର୍କ ଗଢିଛି, ଯାହାଙ୍କୁ ସାରା ଜୀବନ ମୋ ସହ ରଖିବି । କ୍ରିକେଟ୍ ମୋତେ ଅନେକ ମହାନ ବ୍ୟକ୍ତିଙ୍କୁ ଭେଟିବାର ସୌଭାଗ୍ୟ ଦେଇଛି, ଯାହା ମୋର ଜୀବନ ବଦଳାଇ ଦେଇଛି । ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ହେନରିକ୍ କ୍ଲାସେନ ୨୦୧୮ ମସିହାରେ ଭାରତ ବିପକ୍ଷରେ ଦିନିକିଆ ଓ ଟି-୨୦ ରେ ଡେବ୍ୟୁ କରିଥିଲେ । ୨୦୧୯ରେ ଭାରତ ବିପକ୍ଷରେ ହିଁ ଟେଷ୍ଟ ଡେବ୍ୟୁ କରିଥିଲେ । ହେନରିକ୍ କ୍ଲାସେନ ଦକ୍ଷିଣ ଆଫ୍ରିକା ପାଇଁ ୪ଟି ଟେଷ୍ଟ, ୬୦ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆ କ୍ରିକେଟରେ କ୍ଲାସେନ ୨୧୪୧ ରନ୍ କରିଛନ୍ତି । ଏଥିରେ ୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି । କ୍ଲାସେନ ଟି-୨୦ରେ ୨୩.୫ ହାରରେ ୧୪୧.୮୪ ଷ୍ଟ୍ରାଇକରେଟରେ ୧୦୦୦ ରନ୍ କରିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ କ୍ଲାସେନଙ୍କ ୫ ଅର୍ଦ୍ଧଶତକ ରହିଛି । କ୍ଲାସେନ ଆଇପିଏଲରେ ନିଜର ଶେଷ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ମାର୍ଚ୍ଚ ୨୦୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ ।

କ୍ଲାସେନ ଜାନୁଆରୀ ୨୦୨୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ଦେଶ ପାଇଁ ଟି-୨୦ ଓ ଦିନିକିଆ ଇଣ୍ଟରନ୍ୟାସନାଲ୍ ଖେଳୁଥିଲେ । ଚଳିତ ବର୍ଷ ଏପ୍ରିଲ୍ରେ କ୍ରିକେଟ୍ ସାଉଥ୍ ଆପ୍ରିକାର ସେଣ୍ଟ୍ରାଲ୍ କନଟ୍ରାକ୍ଟ ପାଇଁ ତାଙ୍କୁ ଅଣଦେଖା କରାଯାଇଥିଲା । ତେଣୁ ସେ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.