“ଆଇ ଆମ୍ କାଳିଆ” ଚଳଚ୍ଚିତ୍ରର ପ୍ରଥମ ଦର୍ଶନ ଉନ୍ମୋଚନ, ବାହୁଡା଼ରେ ଶୁଭମୁକ୍ତି

0

ଭୁବନେଶ୍ୱର (ଆମ ଟିଭି): ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ପ୍ରସ୍ତୁତ ଓଡ଼ିଆ ସିନେମା “ଆଇ ଆମ୍ କାଳିଆ”ର ପ୍ରଥମ ଦର୍ଶନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିକା ସମୟରେ ମହାପ୍ରଭୁଙ୍କୁ ଖୁବ ଭକ୍ତି କରୁଥିବା, ତାଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିବା ଅନେକ ବ୍ୟକ୍ତି ଆମ ସମାଜରେ ଅଛନ୍ତି, ଯେଉଁମାନେ ଲୋକଲୋଚନକୁ ଆସିପାରନ୍ତି ନାହିଁ l ସେମିତି ଏକ ହୃଦୟସ୍ପର୍ଶୀ ସାମାଜିକ କାହାଣୀକୁ ନେଇ ଗଢି ଉଠିଛି ଓଡ଼ିଆ ସିନେମା ଆଇ ଆମ୍ କାଳିଆ l ଭଗବାନଙ୍କ ପାଖରେ ଭକ୍ତ ହିଁ ସବୁବେଳେ ବଡ଼ ହୋଇଥାନ୍ତି l

ସୁବାଷ ସାହୁ ପ୍ରଯୋଜିତ “ଆଇ ଆମ୍ କାଳିଆ” ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ହରିହର ମହାପାତ୍ର, ରୁଷିଆର ଜଣେ ପ୍ରଖ୍ୟାତ ଥିଏଟର ଅଭିନେତ୍ରୀ ଅନିୟା, ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ସାତ୍ୱକି ମିଶ୍ର ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି l
କାହାଣୀ ଡଃ ମୋନାଲିସା ମହାପାତ୍ର ରଚନା କରିଛନ୍ତି l ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ହରିହର ମହାପାତ୍ର ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ସହ-ନିର୍ଦ୍ଦେଶକ ଆଶିଷ ବେହେରା, ଚିତ୍ରଉତ୍ତୋଳନ କରିଛନ୍ତି କାହ୍ନୁ ନନ୍ଦ ଶୁଭମ l ପ୍ରଡ଼କସନ ଡିଜାଇନ ସାରଦା ନାୟକ କରିଥିବା ବେଳେ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରଣୟ ଜେଠୀ ଏବଂ ଉପଦେଷ୍ଟା ଅଛନ୍ତି ଅମୀୟ ମହାରଣା l

ଶ୍ରୀକ୍ଷେତ୍ର ପୁରୀରେ ସିନେମାଟି ସମ୍ପୂର୍ଣ୍ଣ ଶୁଟିଙ୍ଗ ହୋଇଛି l ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଜଣେ ବିଦେଶିନୀ ଅଭିନେତ୍ରୀଙ୍କୁ ନେଇ ଏହା ଦ୍ବିତୀୟ ଓଡ଼ିଆ ସିନେମା l ପ୍ରଥମ ଦର୍ଶନ ଉତ୍ସବରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ l ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ, ବାବା ଦିବାକର ଦାସ ଏବଂ ବାବା ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଆ ସିନେମା ଜଗତର ବିଶିଷ୍ଟ ସିନେ ଗବେଷକ ସୂର୍ଯ୍ୟ ଦେଓ, କାହାଣୀକାର ଶ୍ୟାମା ପ୍ରସାଦ ମିଶ୍ର, ଚଳଚ୍ଚିତ୍ର ସମୀକ୍ଷକ ଅମିତାଭ ଚୌଧୁରୀ, ସିନେ ପତ୍ରିକା ବାଣୀଚିତ୍ର ମୁଖ୍ୟ ଭାସ୍କର ଜେନା, ନିର୍ଦ୍ଦେଶକ ଶୈଳେନ୍ଦ୍ର ପରିଡା ଙ୍କ ସମେତ ଅନେକ ବିଶିଷ୍ଟ କଳାକାର, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଟେକନିସିଆନ୍ସ ତଥା ସାମ୍ବାଦିକବୃନ୍ଦ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ l “ଆଇ ଆମ୍ କାଳିଆ” ଚଳଚ୍ଚିତ୍ର ଆସନ୍ତା ବାହୁଡା଼ ଅବସରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ଉତ୍ସବରେ ଘୋଷଣା କରାଯାଇଛି l

Leave A Reply

Your email address will not be published.