ବେଙ୍ଗାଲୁରୁ ଘଟଣାରେ ସାମ୍ନାକୁ ଆସିଲା ବିରାଟଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ‘ମୁଁ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି’

0

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ଆଇପିଏଲ ଟାଇଟଲ ଜିତିଛି । ଆଇପିଏଲ ଟ୍ରଫି ଜିତିବା ପରେ ବିଜୟ ଉତ୍ସବ ପାଇଁ ବେଙ୍ଗାଲୁରୁରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ହେଲେ ବିଜୟ ଉତ୍ସବ ପାଳନ ପୂର୍ବରୁ ଘଟିଯାଇଥିଲା ବଡ଼ ଅଘଟଣ । ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୧ ଜଣ ଫ୍ୟାନ୍ସଙ୍କ ଜୀବନ ଚାଲିଯାଇଥିଲା । ଏବେ ଏହି ଘଟଣାକୁ ନେଇ ବିରାଟ କୋହଲିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ବେଙ୍ଗାଲୁରୁ ଦଳାଚକଟା ପରେ ଆରସିବି ଟିମର ଅଫିସିଆଲ ବୟାନକୁ ସେୟାର କରି ବିରାଟ ଲେଖିଛନ୍ତି, ‘ମୁଁ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି, ମୋ ପାଖରେ କହିବାକୁ ଶବ୍ଦ ନାହିଁ ।’

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯିବା ପରେ ଆରସିବି ଏକ ଅଫିସିଆଲ ବୟାନ ଜାରି କରି ଶୋକବ୍ୟକ୍ତ କରିଛି । ଆରସିବି ମୁତାବକ, ଏଭଳି ଦୁଃଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ବହୁତ ଦୁଃଖିତ । ସମସ୍ତଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ଆମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଆରସିବି ପକ୍ଷରୁ ପୀଡିତଙ୍କ ପାଇଁ ଶୋକବ୍ୟକ୍ତି କରିବା ସହିତ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଯାଇଛି । ପରିସ୍ଥିତି ବିଷୟରେ ଜାଣିବା ପରେ ଆମେ କାର୍ଯ୍ୟକ୍ରମକୁ ସଂଶୋଧନ କରିଥିଲୁ ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶକୁ ପାଳନ କରିଥିଲୁ । ସମସ୍ତ ଫ୍ୟାନ୍ସଙ୍କୁ ଆଗ୍ରହ କରୁଛୁ କି, ସୁରକ୍ଷିତ ରୁହନ୍ତୁ ।

ଜୁନ୍ ୩ ତାରିଖରେ ଆରସିବି ଆଇପିଏଲ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟିମକୁ ସମ୍ବର୍ଦ୍ଧନା ଦେବା ପାଇଁ ସମାରୋହର ଆୟୋଜନ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଚିନ୍ନସ୍ବାମୀ ଷ୍ଟାଡିୟମ ବାହାରେ ଫ୍ୟାନ୍ସଙ୍କ ଗହଳି ଜମିଥିଲା । ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ଏକାଠି ହୋଇଥିଲେ । ହେଲେ ଟିମ୍ ଷ୍ଟାଡିୟମକୁ ଆସିବ ପୂର୍ବରୁ ଦଳାଚକଟା ସ୍ଥିତି ଆରମ୍ଭ ହୋଇଯାଇଥିଲା । ଫଳରେ ଏମାନଙ୍କ ମଧ୍ୟରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା ।

Leave A Reply

Your email address will not be published.