ପୁରୀ (ଆମ ଟିଭି) : ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ କହିଛନ୍ତି ଯେ, ପୁରୀ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ଘଟଣାର ପୁରା ତଦନ୍ତ ହେବ । କେଉଁ ଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ଛାନ୍ଭିନ୍ ହେବ । ଏହାସହିତ ରବିବାର ଦିନ ନିଜେ ପୁରୀ ଗସ୍ତରେ ଯିବ ବୋଲି କହିଛନ୍ତି ।
ସୂଚନା ଅନୁସାରେ ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। ତେବେ ଏହି ଅଘଟଣରେ ମୃତ୍ୟୁ କରିଥିବା ସମସ୍ତ ଶ୍ରଦ୍ଧାଳୁ ଖୋର୍ଦ୍ଧା ଜିଲ୍ଲାର । ମୃତକ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ, ଠେଲାପେଲାରେ ରଥ ସାମ୍ନାରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ପ୍ରେମାକାନ୍ତ ମହାନ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।
ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଜଗା ଦର୍ଶନ ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଠେଲାପେଲା ହୋଇଥିଲା । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଭିଡ଼ ଭିତରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ଟ୍ରକ । ଯେଉଁ ଟ୍ରକରେ ଚାରମାଳ କାଠ ଆସିଥିଲା । ଠେଲାପେଲା ଭିତରେ କାଠ ଉପରେ ପଡ଼ିଥିଲେ ଭକ୍ତ । କିଛି ଭକ୍ତଙ୍କ ଉପରେ ଚଢ଼ିଯାଇଥିଲେ ଅନ୍ୟ ଭକ୍ତ । ଫଳରେ ଏକ ବଡ଼ ଅଘଟଣ ଘଟିଗଲା । ଯେଉଁଥିରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି ।