ଯୁଦ୍ଧକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, ପୋଲିସ ସହ ଧସ୍ତାଧସ୍ତି

0

ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ବୁଧବାର ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏପରିକି ଲୋୟର ପିଏମ୍‌ଜିରେ ପ୍ରଥମ ବାରିକେଡ ଭାଙ୍ଗି ଦେଇଛନ୍ତି ବିଜେଡି କର୍ମୀ।

ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି । ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ମାଡ କରିଛି ପୋଲିସ। ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନୀ ଏବଂ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଆହତ ହୋଇଥିବା ଜଣାପଡିଛି । ବବି ଦାସ ଆପୋଲ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ଏପଟେ ୮ ଘଣ୍ଟିଆ ବାଲେଶ୍ବର ବନ୍ଦ । FM ଛାତ୍ରୀ ମୃତ୍ୟୁକୁ ନେଇ ବାଲେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଥିବାବେଳେ ଦିନ ୨ଟାଏ ଯାଏଁ ଚାଲିବ ଆନ୍ଦୋଳନ । ରାସ୍ତାରେ ଟାୟାର ଜାଳି ପ୍ରତିବାଦ ଚଳାଇଛନ୍ତି ବିଜେଡି କର୍ମୀ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅଫିସ ମଧ୍ୟ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.