ଓଡ଼ିଶାର ପ୍ରଥମ ସୁପ୍ରସିଦ୍ଧ ଓଟିଟି ପ୍ଲାଟଫର୍ମ ‘ଆଓ ନେକ୍ସଟ’ରେ ଜୁଲାଇ ୨୪ ରୁ ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ‘ତୃଷ୍ଣା’

0

ଭୁବନେଶ୍ୱର (ଆମ ଟିଭି): ଜଣେ ସାଧାରଣ ମଣିଷର ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର କାହାଣୀ ଭିତରେ, ବସ୍ତୁବାଦୀ ସମାଜରେ, ଯୋଉଠି ଧନ ହି ସମ୍ମାନର ମାପଦଣ୍ଡ, ସେଇଠି ଗୋଟିଏ କଳାକାର ତା କଳା ପ୍ରତି ସମର୍ପିତ ହୋଇ ରହିପାରିବ ନା ସମାଜ ପାଇଁ ମନୋରଞ୍ଜନର ଏକ ବସ୍ତୁ ହୋଇଯିବ ତାହା ହିଁ ତୃଷ୍ଣାର କାହାଣୀକୁ ଗତିଶୀଳ କରିଛି ଓ ବଡ଼ ପରଦାରେ ସଫଳତା ପରେ ଏବେ ଓଡ଼ିଶାର ପ୍ରଥମ ସ୍ୱାଧୀନ ଓ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ରେ ଜୁଲାଇ ୨୪ ରେ ରିଲିଜ ହେଉଛି ‘ଆମରା ଷ୍ଟୁଡିଓ’ ଦ୍ଵାରା ପ୍ରଯୋଜିତ ଓ ସୁରେଶ ପଟ୍ଟନାୟକଙ୍କ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ‘ତୃଷ୍ଣା’ ।

ଚାରିଜଣ ବ୍ୟକ୍ତିଙ୍କ ଆଶା, ସ୍ୱପ୍ନ ଏବଂ ନିରାଶାର ଏକ ନିଛକ କାହାଣୀ ‘ତୃଷ୍ଣା’ । ଏହି କାହାଣୀର ମୁଖ୍ୟ ଚାରି ଚରିତ୍ରମାନେ ନିଜ ନିଜର ସୃଜନଶୀଳ ଆକାଂକ୍ଷାର ସନ୍ଧାନରେ ଅଛନ୍ତି । ନିଜ ଆକାଂକ୍ଷିତ ଇଚ୍ଛା ପାଇବାକୁ ସେମାନେ କିଭଳି ସଂଘର୍ଷ କରୁଛନ୍ତି ତାହା ଉପରେ କାହାଣୀ ପର୍ଯ୍ୟବେଶିତ। ‘ତୃଷ୍ଣା’ର କାହାଣୀ ଆରମ୍ଭ ହେଉଛି ପାଠପଢ଼ା ଚାପରେ ଆକ୍ରାନ୍ତ ହୋଇ ଜଣେ ଅନୁଜା ବାଳିକାର ଅପ୍ରତ୍ୟାଶିତ ଆତ୍ମହତ୍ୟାରୁ, ଯାହାକୁ ଏକ ନକରାତ୍ମକ ଆରମ୍ଭ ବୋଲି କହିଲେ କିଛି ଭୁଲ ହେବନାହିଁ। କିନ୍ତୁ କାହାଣୀର ଅଗ୍ରଗତି ଶେଷକୁ ଆଶା ସହ ଜୀବନକୁ ଯୋଡୁଛି। ତେଣୁ ଏହାକୁ ନୈରାଶ୍ୟରୁ ଆଶାବାଦୀ ହେବାର ଏକ ସକାରାତ୍ମକ ଯାତ୍ରା ବୋଲି କୁହାଯାଇ ପାରେ।

ଜୁଲି, ଅଙ୍କିତ, ଶିଖା, ଯତୀନ ଓ ଆନନ୍ଦ ଆଦି ହେଉଛନ୍ତି ପାଞ୍ଚଟି ଚରିତ୍ର ଯେଉଁମାନେ ନିଜ ନିଜର ଆଶା, ନିରାଶା, ଆକାଂକ୍ଷା ଓ ସ୍ଵପ୍ନଭଙ୍ଗ ସତ୍ଵେ ନିଜ ନିଜର ଜୀବନ ବଞ୍ଚୁଛନ୍ତି, କିନ୍ତୁ ଭାଙ୍ଗି ପଡୁନାହାନ୍ତି। ପରସ୍ପର ଠାରୁ ବିଚ୍ଛିନ୍ନ ବା ପରସ୍ପରକୁ ଜାଣିନଥିବା ଚରିତ୍ରଗୁଡ଼କ ଯେଉଁ ଭଳି ‘ଜୀବନର ଆଶା’ ଆଧାରରେ ପରସ୍ପର ସହ ଯୋଡ଼ି ହେଇଛନ୍ତି ତାହା ହିଁ ‘ତୃଷ୍ଣା’। ଫିଲ୍ମରେ ଅଭିଷେକ ଗିରି, ଶୈଳେନ୍ଦ୍ର, ବିଘ୍ନେଶ, ଜ୍ୟୋତି ପଣ୍ଡା, ସମରେଶ, ପ୍ରଦ୍ୟୁମ୍ନ ଲେଙ୍କା, ଲିପ୍ସା ମିଶ୍ର, ସୁରମୟୀ ପ୍ରମୁଖଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନରେ ଲୋକ ପ୍ରିୟତା ସୃଷ୍ଟି କରି ଥିଲା ।

ଏହି ଫିଲ୍ମ ପାଇଁ ଡ. ନିର୍ମଳ ନାୟକ ଓ କୁମାରଶ୍ରୀ ସାହୁ ଗୀତ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ସ୍ଵୟଂ ପାଢ଼ୀ, ଗୌରବ ଆନନ୍ଦ, କୁଲଦୀପ, ଇଶ୍ୱରୀ, ରୂପକ ପ୍ରମୁଖ କଣ୍ଠଦାନ କରିଛନ୍ତି। ଏହି ଚଳଚିତ୍ର ବଡ଼ ପରଦା ପରି ‘ଆଓ ନେକ୍ସଟ’ରେ ମଧ୍ୟ ଦର୍ଶକଙ୍କ ମନ ପୁଣି ଜିତିବ ବୋଲି ଆଓ ନେକ୍ସଟ ଟିମ କହିଛି ।

Leave A Reply

Your email address will not be published.