ଜୟପୁର (ଆମ ଟିଭି): ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଜୟପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ୧୮ ମିନିଟ୍ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ବିମାନକୁ ପୁଣି ରନୱେରେ ଜରୁରୀ ଅବତରଣ କରିବାକୁ ପଡିଥିଲା ।
ସୂଚନାନୁଯାୟୀ, ଏୟାର ଇଣ୍ଡିଆ ବିମାନ AI-612 ଅପରାହ୍ଣ ପ୍ରାୟ ୧.୫୮ ରେ ଜୟପୁର ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପ୍ରାୟ ୧.୩୫ ମିନିଟ୍ ସମୟରେ ଉଡ଼ାଣ ଆରମ୍ଭ କରିଥିଲା । କିନ୍ତୁ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହା ପରେ ପାଇଲଟ ସମସ୍ତ ଯାତ୍ରୀବାହୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫେରିବାକୁ ନିଷ୍ପତ୍ତି ନେଇଥିଲେ।
ପାଇଲଟ୍ ତ୍ରୁଟି ବିଷୟରେ ଜାଣିବା ମାତ୍ରେ ତୁରନ୍ତ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ପାଇଲଟ୍ ଜୟପୁର ATC ରୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ । ବିମାନଟି ପ୍ରାୟ ୧୮ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିବା ପରେ ଅପରାହ୍ଣ ୨.୧୬ ମିନିଟ୍ ସମୟରେ ଜୟପୁର ବିମାନ ବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନରେ ଥଇବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ଜଣାପଡିଛି । ବର୍ତ୍ତମାନ ବିମାନର ଯାନ୍ତ୍ରିକ ତ୍ରୁଟିର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ନିକଟରେ ଏୟାର ଇଣ୍ଡିଆ ଏବଂ ଏହାର ସହାୟକ ଏୟାର ଇଣ୍ଡିଆ ଏକ୍ସପ୍ରେସର ଅନେକ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲେ । ବୁଧବାର ଦିନ ଦିଲ୍ଲୀ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଏକ ବିମାନ ଉଡ଼ାଣ ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ବାତିଲ କରାଯାଇଥିଲା । ସେହି ବିମାନରେ ୧୬୦ ଜଣ ଯାତ୍ରୀ ଥିଲେ ।