ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ

0

ଭୁବନେଶ୍ୱର (ଆମ ଟିଭି): ଡିଏଭି ପୋଖରୀପୁଟରେ ଚଳିତ ବର୍ଷ ବିଦ୍ୟାର୍ଥୀମାନଙ୍କ ପ୍ରାଣରେ ‘ରକ୍ଷାବନ୍ଧନ’ର ଐତିହାସିକ, ପୌରାଣିକ କଥାମୃତର ମହତ୍ତ୍ବକୁ ଅନୁଭବ କରାଇବା ନିମନ୍ତେ ନିଆରା ଢଙ୍ଗରେ ବିଦ୍ୟାର୍ଥୀମାନେ ରକ୍ଷାବନ୍ଧନ ପାଳନ କରିଛନ୍ତି । ରକ୍ଷା ବନ୍ଧନ ପର୍ବ ପ୍ରେମ, ସଭାବ ଏବଂ ଦାୟିତ୍ବ ବୋଧତାର ପର୍ବ । ଏହି ବନ୍ଧନକୁ ସୁଦୃଢ କରିବା ନିମନ୍ତେ ଶିକ୍ଷୟିତ୍ରୀ-ଶିକ୍ଷକମାନଙ୍କ ସହଯୋଗ କ୍ରମେ ଷଷ୍ଠ-ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀମାନେ ଶ୍ରେଣୀ କକ୍ଷରେ ଚଳିତ ବର୍ଷ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରିଥିଲେ ।

ଡିଏଭି ଶିକ୍ଷାନୁଷ୍ଠାନ ଏଫ୍.ଜୋନ୍‌ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶାନୁସାରେ ତଥା ବରିଷ୍ଠା ନିରୀକ୍ଷିକା ଡ. ସ୍ମରଣିକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାର୍ଥୀଙ୍କ ପ୍ରାଣରେ ମାନବିକତାର ଅଭ୍ୟୁଦୟକୁ ପୁନଃସ୍ଥାପିତ କରିବା ତଥା ସୁରକ୍ଷାର ବାର୍ଭା ପ୍ରସାର କରିବା ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବିଦ୍ୟାର୍ଥୀମାନେ ଭୁବନେଶ୍ବରର ଖାରବେଳନଗର ପୋଲିସ ଷ୍ଟେସନ୍, ଟ୍ରାଫିକ୍ କମିଶନରେଟ୍ ଏଜି ସ୍କୋୟାର, ପୋଖରୀପୁଟର ୱେଲ୍‌ଥ ସେଣ୍ଟର (ସଫାଇମିତ୍ର) ଏବଂ ୧୨୦ ଇନଫାଣ୍ଡ୍ରି ବାଟାଲିଅନ୍ ପରିଦର୍ଶନ କରିବା ସହିତ ସେମାନେ ପୋଲିସ, ସୈନିକ ଏବଂ ସଫାଇମିତ୍ରଙ୍କ ହାତରେ ହାତ ତିଆରି ତ୍ରିରଙ୍ଗା ରାକ୍ଷୀ ବାନ୍ଧିଥିଲେ ।

ସମସ୍ତ ସୁରକ୍ଷାକର୍ମୀ ବିଦ୍ୟାର୍ଥୀମାନଙ୍କୁ ଆନନ୍ଦର ସହିତ ଚକୋଲେଟ୍, ମାର୍କରପେନ୍ ଆଦି ପ୍ରଦାନ କରିଥିବାରୁ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ସେମାନଙ୍କ କର୍ତ୍ତବ୍ୟ ପରାୟଣତା ପାଇଁ ଧନ୍ୟବାଦ ଜଣାଇଥିଲେ । ବିଦ୍ୟାର୍ଥୀମାନଙ୍କର ଏହି ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନକୁ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.