ପୁରୀ(ଆମ ଟିଭି): ପୁରୀ ଚନ୍ଦ୍ରଭାଗା ବେଳାଭୂମିରେ ଅଘଟଣ। ଗାଧେଇବା ବେଳେ ବୁଡ଼ି ଯାଇ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ୨ ଜଣ ବୁଡି ଯାଇ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଦୂରରେ ଗାଧୋଉଥିବାବେଳେ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି । ମୃତକ ସମସ୍ତେ ଭୁବନେଶ୍ବରର ବୋଲି ଜଣାପଡିଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଯୋଗ୍ୟ; ଚନ୍ଦ୍ରଭାଗାରୁ ଇକୋରିଟ୍ରିଟ୍ ବେଳାଭୂମିରେ ଆଜି ଅପରାହ୍ନରେ ପିଣ୍ଟୁ ପଟ୍ଟନାୟକ, ରାହୁଲ କୁମାର ଓ ଅରୂପାନନ୍ଦ ଜେନା ଗାଧୋଉଥିଲେ। ଅସାବଧାନତା ଯୋଗୁଁ ସେମାନେ ବୁଡ଼ିଯାଇଥିଲେ। ତଟରକ୍ଷୀ ବାହିନୀଙ୍କ ଦ୍ବାରା ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ଗୁରୁତରମାନଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଗୁରୁତରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି।