ଶେଷ ହୋଇଗଲା ରଘୁ ଦହିବରାର ଯୁଗ: ଆଉ ଫେରିବେନି ରଘୁ ମଉସା
ରଘୁ ଦହିବରା… ଏହା କେବଳ ଏକ ଖାଦ୍ୟ ନୁହେଁ ବରଂ ଏହା ହେଉଛି କଟକର ପରିଚୟ । କଟକରେ ତ ଅନେକ ଦହିବରା ବିକ୍ରି ହୁଏ ହେଲେ ରଘୁ ଦହିବରାର ସ୍ୱାଦ ନିଆରା । ସେଥିପାଇଁ ତ ଓଡ଼ିଶାର ସୀମା ଡେଇଁ ୨୦୧୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ “ଓଡ଼ିଶା ପର୍ବ”ରେ ମଧ୍ୟ ଯୋଗ ଦେଇ ନିଜ ଦହିବରାର ସ୍ୱାଦ ସାରା ଭାରତକୁ ଚଖାଇଥିଲେ ରଘୁ । ହେଲେ ଏବେ ରଘୁ ଦହିବରା ତିଆରି କରୁଥିବା ସେ ହାତ ଅଟକି ଯାଇଛି । ଯାହାଙ୍କ ଯୋଗୁଁ ଆଜି ଦହିବରା ସମସ୍ତଙ୍କ ପ୍ରିୟ ହୋଇଛି ସେହି ପ୍ରିୟ ମଣିଷ ରଘୁ ମଉସା ଆଉ ନାହାନ୍ତି । ତାଙ୍କ ବିୟୋଗ ସହିତ କଟକରେ ରଘୁ ଦହିବରା ଆଳୁଦମର ଯୁଗ ଶେଷ ହୋଇଯାଇଛି ।
କଟକର ପ୍ରସିଦ୍ଧ ଦହିବରା-ଆଳୁଦମ ବ୍ୟବସାୟୀ ରଘୁନାଥ ସାସମଲ, ଯିଏ “ରଘୁ ମଉସା” ନାମରେ ସୁପରିଚିତ ଥିଲେ, ତାଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି । କଟକ ବିଡାନାସୀ ସ୍ଥିତ ଗୋପାଳସାହି ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ବିୟୋଗରେ କଟକ ସହର ତଥା ସାରା ଓଡ଼ିଶାର ଖାଦ୍ୟପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ରଘୁନାଥ ସାସମଲ ଦୀର୍ଘ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦହିବରା-ଆଳୁଦମ ବ୍ୟବସାୟ ସହିତ ଜଡ଼ିତ ଥିଲେ । ମାତ୍ର ୧୫ ବର୍ଷ ବୟସରୁ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । କଟକର ବିଡାନାସୀ ଛକରେ ସେ ଏକ ଟ୍ରଲିରେ ସବୁଦିନ ସନ୍ଧ୍ୟା ୫:୩୦ରେ ନିଜର ଦହିବରା ଦୋକାନ ଖୋଲୁଥିଲେ । ତାଙ୍କ ଆସିବା ପୂର୍ବରୁ ହିଁ ଗ୍ରାହକମାନଙ୍କର ଲମ୍ବା ଧାଡ଼ି ଲାଗିଯାଉଥିଲା ।