ପୁରୀ (ଆମ ଟିଭି): ଅକ୍ଟୋବର ୭ରୁ ହବିଷ ବ୍ରତ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀମାନେ ମାସେ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ।
ଏଥିପାଇଁ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ସୂଚନା ଦିଆଯିବ। ହବିଷ୍ୟାଳୀ ମାଆ ମାନଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି ପ୍ରତ୍ୟେକ ଦାୟିତ୍ୱ ନିର୍ବାହ ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ମାଆ ମାନଙ୍କର ସୁରକ୍ଷିତ ରହଣି, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ,ପାନୀୟ ଜଳ,ସ୍ୱଛାସେବୀ ସହଯୋଗର ମଧ୍ୟ ବ୍ୟବସ୍ଥା କରାଯିବ ।
ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି । ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ଵେଛାସେବୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।