ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବିତ
ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯାଇଥିବା ଏବଂ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବଦ୍ଧରେ ସୂଚନା ପ୍ରଦାନ କରିଛନ୍ତି।
ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ ।
ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।