ଝାରସୁଗୁଡ଼ା (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡାର ଅମିଲିପାଲିଠାରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ।
ଏକ ଐତିହାସିକ ସଫଳତା ରୂପେ, ସାରା ଦେଶରେ ୯୭, ୫୦୦ ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯାଇଛି ଯାହା ଦୁର୍ଗମ, ସୀମାନ୍ତବର୍ତ୍ତୀ କ୍ଷେତ୍ର ଓ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ।
ଓଡ଼ିଶା ପାଇଁ ମୋଟ୍ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଥିବାବେଳେ ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହା ବ୍ୟତୀତ, ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍ ଫ୍ଲାଇ ଓଭର, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ପାଇଁ ୪୮୧ କୋଟି ଟଙ୍କା, ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ WI-FI ସୁବିଧା ପାଇଁ ୯୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୋଦି । BSNL ଦ୍ୱାରା ସ୍ଵଦେଶୀ 4G (5G ପ୍ରସ୍ତୁତ) ନେଟୱର୍କ ସାମିଲ ହୋଇଛି ।
ତତସହିତ, ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ ଓ ୮ଟି IITର ଭିତ୍ତିଭୂମି ସମ୍ପ୍ରସାରଣ ଓ ୧୨ ହଜାର ସିଟ୍ ବୃଦ୍ଧି ଘୋଷଣା କରିଛନ୍ତି ମୋଦି ।
ଏହି ଅବସରରେ ରେ ସେ ସାଧାରଣ ସମାସମାବେଶକୁ ମଧ୍ୟ ମୋଦି ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଭେଟି ଦିଆଯାଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ।
ଏହି ସମାବେଶରେ ଅନେକ କେନ୍ଦ୍ର ମନ୍ତ୍ରୀ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ ।