ମହିଳା ବିଶ୍ବକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା

0

ନୂଆଦିଲ୍ଲୀ (ଆମ ଟିଭି): ମହିଳା ଦିନିକିଆ ବିଶ୍ବକପ୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଏମିିତି ମହିଳା କ୍ରିକେଟ୍‌ରେ ଭାରତ-ପାକିସ୍ତାନ ମୁକାବିଲାକୁ କେହି ଗୁରୁତ୍ବ ଦିଅନ୍ତି ନାହିଁ। କାରଣ ଉଭୟ ଦଳଙ୍କ ମଧ୍ୟରେ ବହୁତ ଫରକ ଅଛି। ପୁଣି ପାକିସ୍ତାନ ବିପକ୍ଷରେ ଭାରତ ୨୭ଟି ମ୍ୟାଚ୍‌ ଖେଳି ୨୪-୩ରେ ଆଗୁଆ ରହିଛି। ଉଭୟ ଦେଶଙ୍କ ମଧ୍ୟରେ ୧୧ଟି ଦିନିକିଆ ଖେଳା ଯାଇଥିବା ବେଳେ ଭାରତ ସବୁତକ ସହଜରେ ଜିତିପାରିଛି। ପୁଣି ୧୧ଟିଯାକ ଦିନିକିଆରେ ଭାରତ ଅତିକମ୍‌ରେ ୮୦ ରନ୍‌ କିମ୍ବା ୫ ୱିକେଟ୍‌ ବ୍ୟବଧାନରେ ଜିତିଛି। ତଥାପି ଏହି ମ୍ୟାଚ୍‌ ଉପରେ କ୍ରିକେଟ୍‌ ଦୁନିଆର ନଜର ରହିଛି। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ଉତ୍ତେଜନା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ।

ଏସିଆ କପ୍‌ରେ ପାକିସ୍ତାନ ପୁରୁଷ ଦଳ ସହ ଭାରତୀୟ ଖେଳାଳି ୩ଟିଯାକ ମ୍ୟାଚ୍‌ରେ ହାତ ମିଳାଇ ନଥିଲେ। ଏପରିକି ପିସିବି ମୁଖ୍ୟ ତଥା ପାକିସ୍ତାନର ମନ୍ତ୍ରୀ ମୋହ୍‌ସିନ ନକ୍‌ଭି ଟ୍ରଫି ପ୍ରଦାନ କରିବାର ଥିବାରୁ ଚମ୍ପିଆନ୍‌ ଭାରତ ଖାଲି ହାତରେ ସ୍ବଦେଶ ଫେରିଛି। ଏହି କାରଣରୁ ଭାରତ-ପାକିସ୍ତାନ ମହିଳା ବିଶ୍ବକପ୍‌ ମ୍ୟାଚ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଏହା ସତ ଯେ ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ହାତ ମିଳାଇବେ ନାହିଁ।

ପାକିସ୍ତାନ ଦଳ ହାଇବ୍ରିଡ୍‌ ମଡେଲ୍‌ରେ ଏହି ବିଶ୍ବକପ୍‌ ଖେଳୁଥିବାରୁ ଭାରତ ବିପକ୍ଷ ମ୍ୟାଚ୍‌ ଏହା କଲମ୍ବୋରେ ଖେଳିବାକୁ ଯାଉଛି। କୁଟନୈତିକ ଉତ୍ତେଜନା ତ ଗୋଟିଏ ପଟେ ରହିବ; ହେଲେ ପଡ଼ିଆ​‌ରେ ଉଭୟ ଦଳ କ୍ରିକେଟ୍‌ ଖେଳିବେ। ଯଦି ବର୍ଷା ବାଧକ ନ ସାଜେ; ଭାରତ ଏହି ମ୍ୟାଚ୍‌କୁ ସହଜରେ ଜିତିନେବ ବୋଲି କ୍ରିକେଟ୍‌ ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳ ବିପରୀତ ଫଳାଫଳ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ସହଜରେ ୫୯ ରନ୍‌ରେ ଭାରତ ପରାସ୍ତ କରିଛି। ଅନ୍ୟପକ୍ଷରେ ବାଂଲାଦେଶ ଭଳି ଦଳଠାରୁ ୭ ୱିକେଟ୍‌ରେ ପାକିସ୍ତାନ ପରାସ୍ତ ହୋଇଛି। ତେଣୁ ଦୁର୍ବଳ ପାକିସ୍ତାନକୁ କେବଳ ପରାସ୍ତ କରିବା ନୁହେଁ; ବଡ଼ ବ୍ୟବଧାନରେ ଜିତି ନେଟ୍‌ ରନ୍‌ରେଟ୍‌ ବଢ଼ାଇବା ଲକ୍ଷ୍ୟରେ ଭାରତୀୟ ଦଳ ଖେଳିବ।

ବ୍ୟାଟିଂରେ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଅଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ୧୨୧ ରନ୍‌ରେ ୫ଟି ୱିକେଟ୍‌ ହରାଇବା ସତ୍ତ୍ବେ ଏହା ୨୬୯ ରନ୍‌ କରି ପାରିଥିଲା। ୧ନଂ ମହିଳା ଦିିନିକିଆ ବ୍ୟାଟର ସ୍ମୃତି ମାନ୍ଧାନା ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିବାରୁ ବଡ଼ ସ୍କୋର୍‌ କରିବାକୁ ଚାହଁିବେ। ଅନ୍ୟପକ୍ଷରେ ପାକିସ୍ତାନର ଦୁର୍ବଳତା ହେଉଛି ଏହାର ବ୍ୟାଟିଂ। ବାଂଲାଦେଶ ବିପକ୍ଷରେ ଏହା ମାତ୍ର ୧୨୯ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ସିଦ୍ରା ଅମିନ୍ ଓ ମୁନିବା ଅଲୀ ପାକିସ୍ତାନର ଦୁଇ ଭଲ ବ୍ୟାଟର। ହେଲେ ଦୁହେଁ ନିୟମିତ ରନ୍‌ ସ୍କୋର୍‌ କରୁନାହାନ୍ତି। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ପାକିସ୍ତାନ ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ଏମାନ୍ ଫାତିମାଙ୍କୁ ଖେଳାଇପାରେ।

Leave A Reply

Your email address will not be published.