ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ: ମନମୋହନ ସାମଲ

0

ନୂଆପଡା (ଆମ ଟିଭି): ନୂଆପଡ଼ା ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ ସହ ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନୂଆପଡ଼ାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ସାମଲ କହିଛନ୍ତି ଯେ, ଆଗାମୀ ଦିନରେ ନୂଆପଡ଼ାକୁ ରାଜ୍ୟ ୧ ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଜେ ଦାୟିତ୍ୱ ନେଇଛନ୍ତି । ସେ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ନୂଆପଡ଼ାରେ ନିର୍ବାଚନ ପରେ ମେଡିକାଲ କଲେଜ ଖୋଲାଯିବ । ନୂଆପଡ଼ାରେ ଶିକ୍ଷାଠାରୁ ଆରମ୍ଭ କରି ଜଳସେଚନ, ଗମନାଗମନ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରାଯାଇ ସାମଗ୍ରିକ ବିକାଶ କରାଯିବ । ଏଠାକାର ଲୋକଙ୍କୁ ଯେପରି ଦାଦନ ଖଟିବାକୁ ଯିବେ ନାହିଁ, ସେଥିପାଇଁ ଶିଳ୍ପର ବିକାଶ କରାଯିବ । ପର୍ଯ୍ୟଟନ ଶିଳ୍ପ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯିବ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଥିବାବେଳେ ନୂଆପଡ଼ାରେ ବିଜୟୀ ହୋଇପାରିଲେ ଏଠାକାର ମୌଳିକ ସମସ୍ୟାର ପରିବର୍ତନ ହେବ । ଏହି ନିର୍ବାଚନରେ ଐତିହାସିକ ବିଜୟ ଲାଭ କରାଇବା ପାଇଁ ସାମଲ ନୂଆପଡ଼ାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକକଲ୍ୟାଣକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକାଭିମୁଖୀ କାର୍ଯ୍ୟାଦେଶ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚି ପାରିଛି । ବାପା ସ୍ୱର୍ଗତ ରାଜେନ୍ଦ୍ରେ ଢୋଲକିଆଙ୍କ ନୂଆପଡ଼ାରେ ଅନେକ ସାମାଜିକ କାର୍ଯ୍ୟ କରିଛନ୍ତି । ତାଙ୍କ ପଥକୁ ଅନୁସରଣ କରି ମୁଁ ନୂଆପଡ଼ାରେ ବିଗତ ୫ ବର୍ଷ ହେବ ବିଭିନ୍ନ ସମାଜ ସେବା କରି ଆସୁଛି । ଏହି ଅଞ୍ଚଳର ବିକାଶ ପାଇଁ ବାପା ଅନେକ ସ୍ୱପ୍ନ ଦେଖିଥିଲେ ତାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରୁ ପ୍ରାର୍ଥୀ ହୋଇଛି । ମୋର ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି ବୋଲି ଢୋଲିକିଆ କହିଛନ୍ତି ।

ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ କୋମନା ବ୍ଲକ ଏବଂ ଖରିଆର ରୋଡ ଏନଏସିର ଉପାଧ୍ୟକ୍ଷଙ୍କ ସମେତ ଅନେକ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ଉଭୟ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରସନ୍ନ ପାଢୀ, ମାନ୍ୟବର ମନ୍ତ୍ରୀ ଗଣେଷ ରାମ ସିଂହ ଖୁଂଟିଆ, ସାଂସଦ ମାଳବିକା ଦେବୀ, ମାନ୍ୟବର ବିଧାୟକ ବାବୁ ସିଂ, ଇରାଶିଶ ଆଚାର୍ଯ୍ୟ, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ଅଭିନନ୍ଦନ ପଣ୍ଡା, ବରିଷ୍ଠ ନେତା ଅର୍କ କେଶରୀ ଦେଓ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ଜିଲ୍ଲା ଉପସଭାପତି ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.