ସୋମବାର ବାଲିଯାତ୍ରାରେ ମନ ଜିତିଲା ଲେଜର ଲାଇଟ୍ ଶୋ

0

କଟକ (ଆମ ଟିଭି): କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଷଷ୍ଠ ଦିନ। କିଣାବିକା ସହ ଚଟପଟି ଖାଦ୍ୟର ମଜା ଲୁଟିବାକୁ ପରିବାର ସହ ଛୁଟି ଆସୁଛନ୍ତି ଲୋକେ । ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଥିଲା ବେଳେ ଆଜି ସଂଧ୍ୟା ନଇଁଲେ ବେଳେ ବଢିଥିଲା ପୁଣି ଭିଡ଼ ।

ସୋମବାର ସ୍ୱତନ୍ତ୍ର ଆକର୍ଷଣ ଭାବରେ ଏକ ଚମତ୍କାର ଲେଜର ଶୋ’ ଆୟୋଜନ କରାଯାଇଥିଲା, ଯାହା ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମର ମନମୁଗ୍ଧକର ପ୍ରଦର୍ଶନ ଏବଂ ପ୍ରଶାସନର ସୁଗମ ପରିଚାଳନା ମାଧ୍ୟମରେ ଏଥର ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ଫଳରେ ଲୋକଙ୍କ ସବୁଦିନ ଭିଡ଼ ଜମିବା ସାଙ୍ଗକୁ ଏହି ଯାତ୍ରାକୁ ଦର୍ଶକ ବେଶ ମନୋଭରି ଉପୋଭାଗ କରିଛନ୍ତି । ଏହି ଅବସରରେ ଐତିହାସିକ ବାଲିଯାତ୍ରା ପଡ଼ିଆ ନିକଟରେ ଥିବା ବିସ୍ତିର୍ନ ଜଳ ରାଶି ମଧ୍ୟରେ ଏକ ଅଦ୍ଭୁତ ଲେଜର ଶୋ’ର ଆୟୋଜନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ଚମତ୍କାର ଆଲୋକ ଏବଂ ସଂଗୀତ ସମୂହର ଏକ ଅବିସ୍ମରଣୀୟ ଦୃଶ୍ୟ ଚଳିତ ବର୍ଷର ବାଲିଯାତ୍ରାର ସବୁଠାରୁ ଚର୍ଚ୍ଚିତ ବୈଶିଷ୍ଟ୍ୟ ହୋଇଛି ବୋଲି ଆୟୋଜକ ମାନେ କହିଛନ୍ତି କାରଣ ଲେଜର ଶୋ’ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଲେଜର ଶୋ ସହିତ ବାଲିଯାତ୍ରା ପଡ଼ିଆରେ ଥିବା ଗଣ କବି ବୈଷ୍ଣବ ପାଣି ମଞ୍ଚରେ ଅର୍କେଷ୍ଟ୍ରା ‘ଗୀତ ସାଗରର’ ଓଲିଉଡ ଓ ବଲିଉଡର ବଛା ବଛା ସଙ୍ଗୀତ ସହିତ ଦର୍ଶକଙ୍କୁ ମୋହିତ କରିଥିଲା ।

ଏହା ସହ କଟକର ନବାକଳିକା ଦ୍ବାରା ପ୍ରଦର୍ଶିତ ‘ବାଲିଯାତ୍ରା, ବାଲିରୁ ମୁଠେ କାହାଣୀ’, ଦଶାବୁଜା ଗୋଟିପୁଆ ଓଡିଶୀ ନୃତ୍ୟ ପରିଷଦ, ପୁରୀ ଦ୍ବାରା ପ୍ରଦର୍ଶିତ ଆହେ ‘ନୀଳ ଶୈଳ’, ଢେଙ୍କାନାଳ କଳା ପରିଷଦ ଦ୍ବାରା ପ୍ରଦର୍ଶିତ ‘ଗିତିନାଟ୍ୟ ଭୀମ ଭୋଇ’, ଭଙ୍ଗଡା (ପଞ୍ଜାବ), ଭାରତୀୟ କଳା ସଂସ୍କୃତି ଟ୍ରଷ୍ଟ ଦ୍ବାରା ପ୍ରଦର୍ଶିତ କାଳୀ ମଙ୍ଗଳା ଚରଣ, ନୃତ୍ୟଶା, କଟକ ଦ୍ବାରା ପ୍ରଦର୍ଶିତ ଜହ୍ନରେ ଜହ୍ନ ପଲ୍ଲି ନୃତ୍ୟ, ଲୋକ ଶ୍ରୀରଙ୍ଗ ଭାରତୀ ଛତିଶଗଡ ପ୍ରଦର୍ଶିତ ଗେଡି ଲୋକ ନୃତ୍ୟ, ଗୀତାରାଣୀ ନୃତ୍ୟ ବିଦ୍ୟାଳୟ ବାଲେଶ୍ୱର ପ୍ରଦର୍ଶିତ ରିମିକ୍ସ କୋରିଓଗ୍ରାଫିକ୍ ବେଙ୍ଗଲ ଲୋକ କଳା ଇଜେଡସିସି ଦ୍ବାରା ପ୍ରଦର୍ଶିତ ବଙ୍ଗଳା ଲୋକ କଳା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

କେବଳ ଏତିକି ନୁହେଁ ବରଂ ଅକ୍ଷୟ ମହାନ୍ତି ମଞ୍ଚରେ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଭକ୍ତି ଗୀତ ସହିତ ଆୟୋଜିତ ଅନ୍ୟ ସମସ୍ତ ଲୋକକଳା କାର୍ଯକ୍ରମ ଯେପରିକି ଅମୃତ ମ୍ୟୁଜିକ ଓଡିଆର ନିଶିପ୍ରଭା ପାଣିଙ୍କ ‘ଅକ୍ଷୟ ମହାନ୍ତି ଭକ୍ତି ସଙ୍ଗୀତ’, ବାଙ୍କିର ଅଶୋକ ବେହେରାଙ୍କ ଲାଉଡି ଫୋକ୍, ପୁରୀର ଚାରୁ ନର୍ତନର ବିବେକାନନ୍ଦ ମହାନ୍ତିଙ୍କ ଦେବୀ ଆକ୍ଟ ଦର୍ଶକମାନଙ୍କୁ ଆକର୍ଷିତ କଲା।

କନ୍ଧମାଳର ଅନୁଗ୍ରହ ସଂସ୍କୃତିକ କଳା ପରିଷଦର କଞ୍ଜର ନୃତ୍ୟ, କଟକ ସୁଗ୍ୟାନୀ ମହାପାତ୍ରଙ୍କ ‘ନାଗେନ୍ଦ୍ର ହାରୟ’ ଓଡିଶୀ, ରୋଜାଲିନ ସାହୁଙ୍କ ଦ୍ରୌପଦୀ ଚୀରହରଣ ନୃତ୍ୟ ଛଡା ଅନ୍ୟ କଳାକାରଙ୍କ ପ୍ରଦର୍ଶନ ସନ୍ଧ୍ୟାକୁ ରଙ୍ଗିନ କରିଦେଲା ଓ ଆଣିଥିଲା ଦର୍ଶକଙ୍କ ଅବିରତ ତାଳି ।

ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଏହି ମହୋତ୍ସବରେ ଓଲିଉଡରୁ ବଲିଉଡ ଅନେକ କଣ୍ଠଶିଳ୍ପୀ ଏବଂ ତାରକା ସାମିଲ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ତେବେ ବାଲିଯାତ୍ରାରେ ମନୋରଂଜନ କରିବା ସହ ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକମାନେ। ଲୋକମାନଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।

ମହାନଦୀ ପଠାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ। କିଣା ବିକା ସହ ଖାଇବା ପିଇବାର ପସରା ମେଲିଛି ନଦୀ ପଠାରେ। ପ୍ରତିଦିନ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହେଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ବର୍ଷ ସଫଳ ଭାବରେ ବାଲିଯାତ୍ରାକୁ ପରିଚାଳନା କରୁଥିବାରୁ ସାମାଜିକ ଗଣମାଧ୍ୟମରେ ପ୍ରଶାସନ ସାଉଁଟୁଛି ପ୍ରଶଂସା ।

Leave A Reply

Your email address will not be published.