ବ୍ରହ୍ମଗିରି: ପୁରୀ ଜିଲ୍ଲା ସ୍କୁଲ୍ର ୧୯୮୩ HSC ବ୍ୟାଚ୍ର ପୁରୁଷ ଓ ମହିଳା ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ଏକ ସ୍ମୃତିମୟ ପୁନର୍ମିଳନ ଉତ୍ସବ ଗତ ୨୧ ଡିସେମ୍ବର ତାରିଖରେ ମାଆ ହରଚଣ୍ଡୀ ମନ୍ଦିର ନିକଟସ୍ଥ ମହାପାତ୍ର ରେସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପୁନର୍ମିଳନ କାର୍ଯ୍ୟକ୍ରମରେ ୧୯୮୩ ବ୍ୟାଚ୍ର ୧୨୦ରୁ ଅଧିକ ପୁରୁଷ ଓ ମହିଳା ବନ୍ଧୁ ବାନ୍ଧବୀ ଓ ସହଯୋଗୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସ୍କୁଲ୍ର ବିକାଶ, ଶିକ୍ଷାଜୀବନର ସ୍ମୃତି, ବନ୍ଧୁ ମାନଙ୍କର ମୂଲ୍ୟ ଓ ଜୀବନ ଅନୁଭବ ସମ୍ପର୍କରେ ଗଭୀର ଆଲୋଚନା ହୋଇଥିଲା। ପୁନର୍ମିଳନକୁ ଅଧିକ ଆନନ୍ଦମୟ କରିବା ପାଇଁ ଅନେକ ସାଥୀ ଓଡ଼ିଆ, ହିନ୍ଦୀ ଏବଂ ପାରମ୍ପରିକ ଗୀତ ପରିବେଷଣ କରିଥିଲେ। ଦାସକାଠିଆ, କବିତା,ହାସ୍ୟନାଟିକା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଖୁବ ଆକର୍ଷିତ କରିଥିଲା।
ଏହି ସମାରୋହରେ ସାଙ୍ଗମାନଙ୍କର ଜୀବନସାଥୀମାନେ ମଧ୍ୟ ଉପସ୍ଥିତ ଥିବାରୁ କାର୍ଯ୍ୟକ୍ରମଟି ପାରିବାରିକ ମାହୋଲ୍ରେ ପରିଣତ ହୋଇଥିଲା। ଉପସ୍ଥିତ ବହୁ ପ୍ରତିଷ୍ଠିତ ପୂର୍ବତନ ଛାତ୍ରମାନେ କହିଥିଲେ ଯେ ସମାଜରେ ବନ୍ଧୁତା ଅନେକ ସମୟରେ ରକ୍ତସମ୍ପର୍କଠାରୁ ମଧ୍ୟ ଅଧିକ ଦୃଢ଼ ହୋଇଥାଏ। ଜୀବନ ଅନିଶ୍ଚିତ, ସେଥିପାଇଁ ପୁରୁଣା ସ୍ମୃତିକୁ ସ୍ମରଣ କରି ଏଭଳି ମିଳନ ମାଧ୍ୟମରେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଭବିଷ୍ୟତରେ ଏଭଳି ପୁନର୍ମିଳନ କାର୍ଯ୍ୟକ୍ରମ ନିୟମିତ ଭାବେ କରି ବନ୍ଧୁତାକୁ ଆହୁରି ଦୃଢ଼ କରିବା ଉପରେ ସମସ୍ତଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା।