ଲୋକସେବା ଭବନରେ ରିଲ୍ସ କରିବା ମନା: କଡ଼ା ଚେତାବନୀ ଦେଲେ ଆଇନ ମନ୍ତ୍ରୀ
ରାଜ୍ୟର ମୁଖ୍ୟ ପ୍ରାଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରରେ ଏଣିକି ଆଉ ରିଲ୍ସ କିମ୍ବା ମନୋରଞ୍ଜନଧର୍ମୀ ଭିଡିଓ ପ୍ରସ୍ତୁତ କରାଯାଇ ପାରିବ ନାହିଁ । ସଚିବାଳୟ ଭିତରେ କିଛି କର୍ମଚାରୀ ଓ ବାହାର ଲୋକଙ୍କ ଦ୍ୱାରା କରାଯାଉଥିବା ମାଳ ମାଳ ରିଲ୍ସକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ମନ୍ତ୍ରୀ ଏକ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଲୋକସେବା ଭବନ କାମ କରିବା ପାଇଁ ଉଦ୍ଦିଷ୍ଟ, ରିଲ୍ସ କରି ମନୋରଞ୍ଜନ କରିବା ପାଇଁ ନୁହେଁ ।
ମନ୍ତ୍ରୀ କହିଛନ୍ତି , କୌଣସି କର୍ମଚାରୀ ହୁଅନ୍ତୁ କିମ୍ବା ବାହାରୁ ଆସୁଥିବା ବ୍ୟକ୍ତି, ସଚିବାଳୟ ପରିସରରେ ଭିଡିଓ ସୁଟିଂ କରିବାର କୌଣସି ଅବକାଶ ନାହିଁ । ଯଦି କେହି ଏହାର ଉଲ୍ଲଂଘନ କରି ମନୋରଞ୍ଜନଧର୍ମୀ ଭିଡିଓ କିମ୍ବା ରିଲ୍ସ ପ୍ରସ୍ତୁତ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟର ଗରିମା ଓ ଶୃଙ୍ଖଳା ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।