ଭୁବନେଶ୍ଵର (ଆମ ଟିଭି): ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ। ଏ ନେଇ ଆମ ବସ୍ ସେବାର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ ବୋଲି ସୂଚନା ରହିଛି। ତେବେ ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି କୃଷ୍ଣ ଚନ୍ଦ୍ର ମହାପାତ୍ର ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏହାସହିତ ପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ନିମନ୍ତେ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ‘ଆମ ବସ୍ ସେବା’କୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ ବିଶ୍ଵାଳ, ମହା ପ୍ରବନ୍ଧକ ସହଦେବ ସମଧିଆ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ସୁଶ୍ରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ସଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥାଏ । ଏନେଇ ଆମ ବସ୍ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା । ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି । ବସ୍ ଟ୍ରୀପ୍ ଆରମ୍ଭ ଓ ଶେଷ ସମୟରେ ଏବଂ ଦିନର ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି । ସେ ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୯ ଜଣ ମଦ୍ୟପାନ କରିଥିବାର ଜଣାପଡ଼ିଥିଲେ ।